କେନ୍ଦୁଝର, (ସତ୍ୟପାଠବ୍ୟୁରୋ): ଲଗାଣ ବର୍ଷା ପରେ ବନ୍ୟାଜଳରେ ଧୋଇଗଲା ପୋଲ । ଫଳରେ କେନ୍ଦୁଝର ବାଂଶପାଳ ଅଞ୍ଚଳର ପ୍ରାୟ ୧୫ ଖଣ୍ଡ ଗାଁ ଏବେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ବିରିକଳା–ଲୁଙ୍ଗାଝର ରାସ୍ତାର କଖାରୁଆ ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ପୋଲଟି ଭାସିଯାଇଛି । ପୋଲ ଭାସିଯିବା ପରେ ତରମାକାନ୍ତ ଓ ସାହାରପୁର ପଞ୍ଚାୟତ ଅଧୀନ ପ୍ରାୟ ୧୫ଟି ଗାଁ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତାରେ ଯାତାୟାତ ବନ୍ଦ ହୋଇଯିବାରୁ ସାଧାରଣ ଲୋକଙ୍କ ଯାତାୟାତ ଠାରୁ ଆରମ୍ଭ କରି ଜରୁରୀ ସେବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି । ବିଶେଷକରି ଅସୁସ୍ଥ ରୋଗୀ, ଗର୍ଭବତୀ ମହିଳା ଓ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ସ୍ଥିତି ଗମ୍ଭୀର ହୋଇଛି।
ପୋଲ ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ଗାଁ ଭିତରକୁ ପହଞ୍ଚିବାରେ ସମସ୍ୟା ହେଉଛି। ଫଳରେ ଜରୁରୀ ସମୟରେ ରୋଗୀଙ୍କୁ ହସ୍ପିଟାଲ ନେବା ମଧ୍ୟ ଚ୍ୟାଲେଞ୍ଜ ହୋଇପଡ଼ିଛି । ସବୁଠାରୁ ବଡ଼ କଥା ହେଉଛି, ଏହି ସ୍ଥାନରେ ଏକ ନୂଆ ପୋଲ ନିର୍ମାଣ କାମ ଚାଲିଛି। କିନ୍ତୁ ନିର୍ମାଣକୁ ୫ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ପୋଲ କାମ ଏଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ। ମନ୍ଥର ଗତିରେ ନିର୍ମାଣ କାମ ଚାଲୁଥିବାରୁ ପ୍ରତିବର୍ଷ ବର୍ଷା ଋତୁରେ ଅଞ୍ଚଳବାସୀଙ୍କୁ ସମାନ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି ।
