ଚେନ୍ନାଇ, (ସତ୍ୟପାଠବ୍ୟୁରୋ): ତାମିଲନାଡୁର ମହାବଳୀପୁରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ୩୧ତମ ଦକ୍ଷିଣ ଆଞ୍ଚଳିକ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଏବଂ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ତଥା ଆନ୍ତଃ-ରାଜ୍ୟ ବିବାଦର ସମାଧାନ ପାଇଁ ଏହି ବୈଠକ ଆୟୋଜନ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଏହି ଅଞ୍ଚଳର ପ୍ରଗତି, ବିକାଶ ଏବଂ ସ୍ୱାର୍ଥ ସମ୍ବନ୍ଧୀୟ ସମାନ ପ୍ରାଥମିକତା ଏବଂ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହ ଏହାର ଅଧ୍ୟକ୍ଷତା କରିଥିବା ବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, କେରଳ ମୁଖ୍ୟମନ୍ତ୍ରୀ ସତୀସନ୍, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭାଟି ବିକ୍ରମାର୍କ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୈଠକରେ ଯୋଗ ଦେଇଥିଲେ। ପୁଡୁଚେରୀର ଉପରାଜ୍ୟପାଳ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ, ଲକ୍ଷଦ୍ୱୀପର ପ୍ରଶାସକ ଏବଂ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ଦକ୍ଷିଣ ଭାରତର ଦୀର୍ଘ ଦିନର କାବେରୀ ନଦୀ ଜଳ ବଣ୍ଟନ ଏବଂ ମେକେଦାଟୁ ପ୍ରକଳ୍ପକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଥିବା ବିବାଦର ଆପୋଷ ସମାଧାନ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ବାକି ରହିଥିବା ବିଭାଜନ ଜନିତ ସମ୍ପତ୍ତି ଓ ଆର୍ଥିକ ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ନେଇ ଚର୍ଚ୍ଚା କରାଯାଇଛି। ଆଞ୍ଚଳିକ ସୁରକ୍ଷା, ଉପକୂଳ ସୁରକ୍ଷା ବ୍ୟବସ୍ଥା, ଆନ୍ତଃ-ରାଜ୍ୟ ପରିବହନ, ସୋଲାର ଏବଂ ସ୍ୱଚ୍ଛ ଶକ୍ତି ପ୍ରକଳ୍ପ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି କେନ୍ଦ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରାଯାଇଛି ।