ବାରାଣସୀ,(ସତ୍ୟପାଠ ବ୍ୟୁରୋ): ଅଯୋଧ୍ୟାର ରାମ ମନ୍ଦିରରୁ ଦାନ ଅର୍ଥ ଏବଂ ସୁନା-ରୂପା ଆଭୂଷଣ ଚୋରି ମାମଲା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା। ଏସଆଇଟି ଯାଞ୍ଚ ଭିତରେ ବାରଣାସୀରେ ଏବେ ଘଟିଛି ସମାନ ଘଟଣା। ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରର ସ୍ୱର୍ଣ୍ଣ ଶିଖରରୁ ସୁନା ଗାଏବ ହେବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପର୍ଯ୍ୟନ୍ତ ପହଞ୍ଚିଛି। ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପିଏମ୍‌ଓ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଛି। ଅନ୍ୟପଟେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ମନ୍ଦିର ପ୍ରଶାସନ ମଧ୍ୟ ଅନ୍ତରୀଣ ତଦନ୍ତ ଆରମ୍ଭ କରିଛି। ବାରାଣସୀର ତେଲିଆବାଗ ଅଞ୍ଚଳର ବାସିନ୍ଦା ତଥା ଆଇନଜୀବୀ ନିତ୍ୟାନନ୍ଦ ରାୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଏହି ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, କାଶୀ ବିଶ୍ୱନାଥ ମନ୍ଦିରର ଉତ୍ତର ଦ୍ୱାର ଠିକ୍ ଉପରେ ଥିବା ଦୁଇଟି ସ୍ଥାନରୁ ସୁନା କଳସ ଗାଏବ ହୋଇଛି। ଏନେଇ ମନ୍ଦିର ପ୍ରଶାସନକୁ ସୂଚନା ମଗାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଆଇନଜୀବୀ ନିତ୍ୟାନନ୍ଦ ରାୟ ଅଭିଯୋଗ କରିଛନ୍ତି ଯେ, ମନ୍ଦିରର ସ୍ୱର୍ଣ୍ଣ ଶିଖରର ଅନ୍ୟ କେତେକ ଅଂଶରେ ଲାଗିଥିବା ସୁନାର ଛୋଟ ଛୋଟ ପ୍ୟାଚ୍ ମଧ୍ୟ ଗାଏବ ହୋଇଛି। ଆଉ କେତେକ ସ୍ଥାନରେ ସୁନାର ଆବରଣ ଢିଲା ହୋଇ ରହିଥିବାରୁ ପ୍ରବଳ ପବନ କିମ୍ବା ଅନ୍ୟ କାରଣରୁ ତାହା ଖସିପଡ଼ିବାର ଆଶଙ୍କା ରହିଛି। ପୂର୍ବରୁ ମନ୍ଦିରରୁ ସୁନା-ରୁପା ଚୋରି ହେବା ଘଟଣା ସାମ୍ନାକୁ ଆସିଥିବାରୁ ଏଥର ସ୍ୱର୍ଣ୍ଣ ଶିଖରରୁ ଗାଏବ ହୋଇଥିବା ସୁନାର ପ୍ରକୃତ ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।