ମୁମ୍ବାଇ, (ସତ୍ୟପାଠବ୍ୟୁରୋ): ମୁମ୍ବାଇର କ୍ୟୁରେସି ନଗରରେ ବିଳମ୍ବିତ ରାତିରେ ଘଟିଛି ବଡ଼ ଦୁର୍ଘଟଣା। ଆପାର୍ଟମେଣ୍ଟ ନିର୍ମାଣ କାମ ଚାଲିଥିବା ବେଳେ ଏକ କ୍ରେନ୍ ଭାରସାମ୍ୟ ହରାଇ ଘର ଉପରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କ୍ରେନ୍ ଖସିପଡ଼ିବା ପଛର କାରଣ ଖୋଜା ଚାଲିଛି।

​​​​​​​ସୂଚନା ଅନୁସାରେ, କ୍ରେନ୍ ସାହାଯ୍ୟରେ ଏକ ପୋକ୍ଲିନ୍ ମେସିନ୍‌କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ହଠାତ୍ କ୍ରେନ୍‌ଟି ଭାରସାମ୍ୟ ହରାଇଥିଲା। ପ୍ରାୟ ୧୧ ମହଲା ଉଚ୍ଚତାରୁ କ୍ରେନ୍ ଖସିପଡ଼ିବା ଫଳରେ ତଳେ ଥିବା ଦୁଇଟି ଘର ସହ ଅନେକ କାର୍ ଓ ଅଟୋ ଚୁରମାର ହୋଇଯାଇଛି।ଦୁର୍ଘଟଣାରେ ଆହତମାନଙ୍କୁ ତୁରନ୍ତ ସିଅନ୍ ଓ କୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।