ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଆଗକୁ ହେବାକୁ ଅଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ। ଏନେଇ ବିଜେପି ପକ୍ଷରୁ ପୁରା ଯୋଜନା ଆରମ୍ଭ ହୋଇଛି।  ବିଜେପିର ନୂଆ ଜାତୀୟ ଟିମ୍‌ ଘୋଷଣା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆଜି ପଦାଧିକାରୀଙ୍କ ସହ  ବୈଠକ କରିଛନ୍ତି । ଦିଲ୍ଲୀସ୍ଥିତ  ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜେନ୍-ଜିଙ୍କ ସହ ଯୋଡ଼ିହେବା, ସୋସିଆଲ ମିଡିଆରେ ଆହୁରି ସକ୍ରିୟ ହେବା  ଓ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି  ଉପରେ ପଦାଧିକାରୀମାନେ ବିସ୍ତୃତ ଆଲୋଚନା କରିଛନ୍ତି।

ବିଜେପି ପଦାଧିକାରୀ ବୈଠକରେ ନବନିଯୁକ୍ତ ପଦାଧିକାରୀଙ୍କୁ ସାଂଗଠନିକ କାର୍ଯ୍ୟ, ସେମାନଙ୍କର ନିର୍ଦ୍ଦିଷ୍ଟ ଦାୟିତ୍ୱ ଏବଂ ଦଳର ପ୍ରାଥମିକ କାର୍ଯ୍ୟ ବିଷୟରେ ଅବଗତ କରାଯାଇଛି।  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜେନ୍- ଜିଙ୍କ ସହ ଯୋଡ଼ି ହେବା ପାଇଁ ଦଳ ଗୁରୁତ୍ବ ଦେଇଛି।  ଏଥିପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବା ସହ କିଛି ପଦାଧିକାରୀଙ୍କୁ  ଦାୟିତ୍ବ ଦେଇଛି ବିଜେପି। ବୈଠକରେ ଗୃହୀତ ପ୍ରସ୍ତାବ ସମ୍ପର୍କରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର ସୂଚନା ଦେଇଛନ୍ତି।
ଆସନ୍ତାବର୍ଷ ୫ଟି ରାଜ୍ୟ – ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏଥିରେ ବିଜେପିର ବିପୁଳ ବିଜୟ ପାଇଁ ରଣନୀତି ଉପରେ ଆଲୋଚନା ହୋଇଛି। ଏହାଛଡ଼ା ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ଭାବରେ କାର୍ଯ୍ୟ କରି ସାର୍ବଜନୀନ ପଦରେ  ୨୫ ବର୍ଷ ପୂରଣ କରିବାକୁ ଯାଉଥିବାରୁ ବିଜେପି ଏହାକୁ  ମୋଦୀ@25’ ଭାବେ ଏକ ମାଇଲଖୁଣ୍ଟ କରିବାକୁ ପ୍ରସ୍ତୁତ ହେଉଛି।  ବୈଠକରେ ଦେଶର ବିଭିନ୍ନ ଭାଗରୁ ବିଜେପି ପଦାଧିକାରୀ ଯୋଗଦେଇ ଉତ୍ସାହିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନିଜ ନୂଆ ଟିମ୍ ଘୋଷଣା କରିବା ପରେ ଆଜି ତିନି ପର୍ଯ୍ୟାୟରେ ବିଜେପି ପଦଧିକାରୀ ବୈଠକରେ ଆଲୋଚନା କରାଯାଇଛି ।