ରାଉରକେଲା(ସତ୍ୟପାଠବ୍ୟୁରୋ): ରାଉରକେଲା ପାନପୋଷ ସର୍କିଟ୍ ହାଉସ୍ରୁ ୪ଟି ବନ୍ଧୁକ ଓ ଗୁଳି ଜବତ ଘଟଣାରେ ତଦନ୍ତ ଜୋରଦାର ହୋଇଛି । ମାମଲାରେ ଫେରାର ଯୁବ ନେତା ପ୍ରକାଶ ପାସୱାନ ଏବେ ପୁଲିସର ଟାର୍ଗେଟରେ । ପ୍ରକାଶଙ୍କୁ ଧରିବା ପାଇଁ ଗଠନ ହୋଇଛି ୫ ଜଣିଆ ସ୍ୱତନ୍ତ୍ର ଟିମ୍ । କେବଳ ରାଉରକେଲା ନୁହେଁ, ରାଜ୍ୟ ବାହାରେ ମଧ୍ୟ ପୁଲିସ ଖୋଜାଖୋଜି ଜାରି ରଖିଛି । ପ୍ରକାଶ ପାସୱାନ ବ୍ୟବହାର କରୁଥିବା ଏକ ଗାଡ଼ିକୁ ରଘୁନାଥପାଲି ଥାନା ପୁଲିସ ଜବତ କରିଛି । ଗାଡ଼ି ଜବତ ପରେ ତଦନ୍ତ ଆହୁରି ତୀବ୍ର ହୋଇଛି । ଏହାସହ ପ୍ରକାଶଙ୍କ ଭାଇ ଓ ଭଉଣୀଙ୍କୁ ଥାନାକୁ ଡାକି ପୁଲିସ ପଚରାଉଚରା କରୁଛି । ଘଟଣାରେ ପ୍ରକାଶଙ୍କ ନିକଟତର ବୋଲି କୁହାଯାଉଥିବା ପ୍ରଶାନ୍ତ ବଂଶଲ ଓ ଅମିତ ନାୟକଙ୍କୁ ପୁଲିସ ଉଠାଇ ଆଣିଛି । ସେମାନଙ୍କୁ ପଚରାଉଚରା କରି ଘଟଣାର ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତକାରୀ ଟିମ୍ ଉଦ୍ୟମ କରୁଛି । ଅନ୍ୟପଟେ ଫେରାର ପ୍ରକାଶ ପାସୱାନଙ୍କୁ ତୁରନ୍ତ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଏସ୍ପି ଅଫିସ୍ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଘଟଣାରେ ଯେଉଁ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ରହିଛି, ସେମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛି ବିରୋଧୀ ।
