ପାରାଦୀପ,(ସତ୍ୟପାଠବ୍ୟୁରୋ)-ପାରାଦୀପ ପୋର୍ଟରୁ ଲୁହାପଥର ନେଇ ଚୀନ୍ ଯାଉଥିବା ଜାହାଜ ମଝି ସମୁଦ୍ରରେ ବୁଡ଼ିଯିବା ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ୭୨ ହଜାର ମେଟ୍ରିକ ଟନ୍ ଲୁହାପଥର ସହ ୨୪ଜଣ କ୍ର୍ୟୁ ମେମ୍ବରଙ୍କୁ ନେଇ ଜାହାଜ MV Ocean Winner ପାରାଦୀପରୁ ବାହାରିଥିଲା। ବଙ୍ଗୋପସାଗରର ଛାତି ଚିରି ଚୀନ ଆଡକୁ ମାଡ଼ି ଚାଲିଥିଲା। ସ୍ପିଡ୍ ଥିଲା ୧୦.୫ ନଟ୍ସ ବା ଘଣ୍ଟାପ୍ରତି ପ୍ରାୟ ୧୯ କିଲୋମିଟର୍। ହେଲେ କଣ ଏମିତି ଘଟିଗଲା କେଜାଣି, ମଝି ଦରିଆରେ ଦୋହଲିଗଲା ବିଶାଳକାୟ ଜାହାଜ। କଟିଗଲା ସିଗନାଲ୍, ବିଚ୍ଛିନ୍ନ ହୋଇଗଲା ଯୋଗାଯୋଗ। ଆଉ ବଙ୍ଗୋପସାଗରର ଅଥଳ ଜଳରାଶିରେ ଧିରେ ଧିରେ ଡୁବିଗଲା। ପାରାଦୀପଠୁ ପ୍ରାୟ ୪୦୭ କିଲୋମିଟର ଓ ବିଶାଖାପାଟଣାଠାରୁ ୭୦୦ କିଲୋମିଟର ପୂର୍ବରେ ଜଳସମାଧି ନେଇଯାଇଛି ଓସେନ୍ ୱିନର୍।
ପାରାଦୀପ ପୋର୍ଟରେ ଲୁହାପଥର ଲୋଡ୍ କରି ଆଗକୁ ମାଡ଼ି ଚାଲିଥିଲା ଓସେନ୍ ୱିନର୍। ତେବେ ଓଭର ଲୋଡ କିମ୍ବା ଭାରସାମ୍ୟ ହରାଇବା ଜାହାଜ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଥିବାବେଳେ ଯାହାକୁ ଏବେ ସମୁଦ୍ର ଭିତରେ ଖୋଜା ଚାଲିଛି । ଏହି ଅପରେସନରେ ଏକାଧିକ ରେସ୍କ୍ୟୁ ଟିମ୍ ସହ ସାମିଲ ହୋଇଛି ଭାରତୀୟ ନୌସେନାର ବିମାନ-P8I। ଯୁଦ୍ଧ ଜାହାଜ ଆଇଏନଏସ୍ ବରାଡ, ଅନମୋଲ ଏବଂ ଭିଜିତ ଖୋଜି ଚାଲିଛନ୍ତି MV Ocean Winnerର କ୍ର୍ୟୁ ମେମ୍ବରଙ୍କୁ। ଜାହାଜରେ ଥିବା ୨୪ କ୍ର୍ୟୁ ମେମ୍ବରଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କର କୌଣସି ସୂଚନା ନାହିଁ। ସେପଟେ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ନିଖୋଜ କ୍ରିଉ ମେମ୍ବରଙ୍କ ସୁରକ୍ଷା କାମନା କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ।
ମଝି ଦରିଆରେ ଓସେନ୍ ଓ୍ୱିନର୍ ହଠାତେ ଏମିତି ବୁଡ଼ି ଯିବାର ରହସ୍ୟ କ’ଣ ? ଯାତ୍ରାର ମାତ୍ର ୨୪ ଘଣ୍ଟା ଭିତରେ ଜାହାଜ ସହିତ ଘଟିଲା କଣ ? କାହିଁକି ସମୁଦ୍ର ମଝିରେ ବୁଡ଼ିଗଲା ଓସେନ୍ ଓ୍ୱିନର ? ଟେକ୍ନିକାଲ୍ ଫଲ୍ଟ ନା ପ୍ରତିକୂଳ ପାଣିପାଗ ? କାଳ ସାଜିଲା କି ଅଧିକ ଓଜନର ମାଲ୍ ପରିବହନ? ସୂଚନା ଅନୁସାରେ ୧୯୯୮ ମସିହାରେ ନିର୍ମିତ ଏହି ଜାହାଜର ଲମ୍ବ ୨୨୫ ମିଟର ଓ ଚଉଡ଼ା ୩୨ ମିଟର । ମାଲ ପରିବହନ କ୍ଷମତା ଥିଲା ୭୩ ହଜାର ୭୩୬ ମେଟ୍ରିକ୍ ଟନ୍। ବିଶେଷଜ୍ଞଙ୍କ କହିବା ଅନୁସାରେ, ଜାହାଜର ସିଗନାଲ୍ ହଠାତ୍ ବନ୍ଦ ହେବା ପରେ ଏହା ବୈଷୟିକ ତ୍ରୁଟି କିମ୍ବା କୌଣସି ଜରୁରୀ ପରିସ୍ଥିତିର ଶିକାର ହୋଇଥାଇପାରେ। କାର୍ଗୋରେ ଅଧିକ ଜଳୀୟ ଅଂଶ, ଜଳବାୟୁର ସ୍ଥିତି କିମ୍ବା ଜାହାଜ ଇଞ୍ଜିନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ତେବେ ଉଦ୍ଧାର କ୍ର୍ୟୁ ମେମ୍ବରଙ୍କ ସୂଚନା ସହିତ ଘଟଣାର ତଦନ୍ତ ହେଲେ ପୂରା ରହସ୍ୟର ପର୍ଦ୍ଦାଫାସ ହେବ ।
