ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇକରଣ ବାଟ ଫିଟିଛି । ଏହାକୁ ଲିଜ୍‌ ସୂତ୍ରରେ ଦେବା ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଦେଶରେ ଥିବା ମୋଟ୍‌ ୧୧ଟି ବିମାନବନ୍ଦରକୁ ଲିଜ୍‌ରେ ଦିଆଯିବ । ଭୁବନେଶ୍ବର ବିମାନବନ୍ଦର ସହିତ କର୍ଣ୍ଣାଟକର ହୁବଲି ବିମାନବନ୍ଦରକୁ ଯୋଡ଼ାଯାଇଛି । ଅନ୍ତଃ-ମନ୍ତ୍ରୀସ୍ତରରେ ବ୍ୟାପକ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ‘ଘରୋଇ ସରକାରୀ ସହଭାଗିତା ମୂଲ୍ୟାଙ୍କନ କମିଟି’ ଏହି ପ୍ରସ୍ତାବଗୁଡ଼ିକୁ ନୀତିଗତ ମଞ୍ଜୁରି ପ୍ରଦାନ କରିଛି । ଅମୃତସର–କାଙ୍ଗ୍ରା, ବାରାଣସୀ–କୁଶୀନଗର–ଗୟା, ଭୁବନେଶ୍ୱର–ହୁବଲି, ରାୟପୁର–ଔରଙ୍ଗାବାଦ ଓ ତ୍ରିଚି–ତିରୁପତି ବିମାନବନ୍ଦରକୁ ଲିଜ୍‌ ସୂତ୍ରରେ ଦିଆଯିବ। ଏହି ଘରୋଇକରଣ ନିଷ୍ପତ୍ତି ଏଭଳି ଏକ ସମୟରେ ହୋଇଛି ଯେତେବେଳେ ଭୁବନେଶ୍ବର ବିମାନବନ୍ଦରରେ ୧୨୦୦ କୋଟି ଟଙ୍କା ନିବେଶରେ ଏକ ଅଢ଼େଇ ମହଲା ବିଶିଷ୍ଟ ଟର୍ମିନାଲ୍‌-୩ ବିକାଶ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି, ଯାହା ବାର୍ଷିକ ୮୬ ଲକ୍ଷ ଯାତ୍ରୀ ପରିଚାଳନା କରିପାରିବ । 

ଭୁବନେଶ୍ବର ବିମାନବନ୍ଦର ହେଉଛି ଏକ ଲାଭଜନକ ବିମାନବନ୍ଦର। ଦେଶରେ ଥିବା ଶତାଧିକ ବିମାନବନ୍ଦର ମଧ୍ୟରୁ ସବୁଠୁ ଅଧିକ ଲାଭ କରୁଥିବା ଆଠଟି ବିମାନବନ୍ଦର ମଧ୍ୟରେ ଭୁବନେଶ୍ବର ନାମ ରହିଛି । ୬୦ ଦଶକରୁ ଅଧିକ ସମୟ ଧରି ସଫଳତାର ସହ ଏହା ଆଗକୁ ବଢ଼ୁଛି । ପୂର୍ବରୁ ତ୍ରିଚି କିମ୍ବା ତିରୁପତି ବିମାନବନ୍ଦରକୁ ଭୁବନେଶ୍ବର ସହ ଯୋଡ଼ି ଲିଜ୍‌ରେ ଦେବାକୁ ବିଚାର କରାଯାଉଥିଲା । କିନ୍ତୁ ଶେଷରେ ଏହା ସହ ହୁବଲି ନାମ ଯୋଡ଼ାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଭୁବନେଶ୍ବର ବିମାନବନ୍ଦର ୫୧.୩ ଲକ୍ଷ ଯାତ୍ରୀ ପରିଚାଳନା କରିଥିଲା । ଭୁବନେଶ୍ବରରୁ ପ୍ରାୟ ୩୦ଟି ସ୍ଥାନକୁ ବିମାନ ସଂଯୋଗ ଥିବା ବେଳେ ହୁବଲିରୁ ମାତ୍ର ୫ଟି ସ୍ଥାନକୁ ସଂଯୋଗ ରହିଛି ।