ଝାରସୁଗୁଡ଼ା, (ସତ୍ୟପାଠବ୍ୟୁରୋ): ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ପୁଣି ଆରମ୍ଭ ହେବ ସିଧାସଳଖ ବିମାନ ଚଳାଚଳ। ଆସନ୍ତା ସେପ୍ଟେମ୍ବର ୪ରୁ ଷ୍ଟାର୍ ଏୟାର୍ ଏହି ରୁଟ୍ ରେ ବିମାନ ସେବା ପୁନଃ ଆରମ୍ଭ କରିବ। ଏ ନେଇ ବିମାନ କମ୍ପାନୀ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସଂଶୋଧିତ କାର୍ଯ୍ୟସୂଚୀ ପ୍ରଦାନ କରାଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ଅଗଷ୍ଟ ୧୭ରୁ ଏହି ବିମାନ ସେବା ବନ୍ଦ ହୋଇଥିଲା। ଷ୍ଟାର୍ ଏୟାର୍ ଅପରେଶନାଲ କାରଣ ଦର୍ଶାଇ ଅଗଷ୍ଟ ୧୭ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ହାଇଦ୍ରାବାଦ–ଝାରସୁଗୁଡ଼ା–ଭୁବନେଶ୍ୱର ରୁଟ୍ରେ ଉଡ଼ାଣ ବନ୍ଦ ରଖିବାକୁ ପୂର୍ବରୁ ଘୋଷଣା କରିଥିଲା। ଏବେ ଧାର୍ଯ୍ୟ ସମୟସୀମା ପୂର୍ବରୁ ଭୁବନେଶ୍ୱର ରୁଟ୍ରେ ସେବା ଫେରିବା ଖବର ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି।
ବିମାନ ଇନ୍ଧନ ବା ଏଟିଏଫ୍ର ମୂଲ୍ୟ ବୃଦ୍ଧି ଯୋଗୁ ଏହି ରୁଟ୍ ରେ ବିମାନ ଚଳାଚଳ ଆର୍ଥିକ ଦୃଷ୍ଟିରୁ ଚାପଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା। ଏହି କାରଣରୁ ସେବା ଜାରି ରଖିବା ପାଇଁ ଷ୍ଟାର୍ ଏୟାର୍ ରାଜ୍ୟ ସରକାରଙ୍କ ନିକଟରେ ଆଉ ୬ ମାସ ପାଇଁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ବୃଦ୍ଧି କରିବାକୁ ଅନୁରୋଧ କରିଥିବା ସୂଚନା ମିଳିଥିଲା। ବିମାନ ସେବା ହଠାତ୍ ବନ୍ଦ ହେବା ପରେ ଝାରସୁଗୁଡ଼ା ଓ ପଶ୍ଚିମ ଓଡ଼ିଶାର ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ରାଜଧାନୀ ଭୁବନେଶ୍ୱର ସହ ସିଧାସଳଖ ଆକାଶପଥ ସଂଯୋଗ ନ ଥିବାରୁ ବିଭିନ୍ନ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ଯାତ୍ରୀମାନେ ଅସୁବିଧାରେ ପଡ଼ିଥିଲେ। ଫଳରେ ଏହି ରୁଟ୍ କୁ ଶୀଘ୍ର ପୁନଃ ଚାଲୁ କରିବା ନେଇ ଦାବି ଜୋର ଧରିଥିଲା। ଏହି ପ୍ରସଙ୍ଗ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଉଠାଇଥିଲେ। ପଶ୍ଚିମ ଓଡ଼ିଶାର ଯାତ୍ରୀ, ବ୍ୟବସାୟୀ ଓ ବିଭିନ୍ନ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ଲୋକଙ୍କ ପାଇଁ ଏହି ସିଧାସଳଖ ବିମାନ ସଂଯୋଗର ଗୁରୁତ୍ୱ ସେ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ରୁଟ୍ ଟି କୁ ଶୀଘ୍ର ପୁନଃ ଚାଲୁ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ସେପ୍ଟେମ୍ବର ୪ରୁ ସେବା ଫେରିବା ସହ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱର ଯାତ୍ରା କରୁଥିବା ଲୋକଙ୍କୁ ପୁଣି ସିଧାସଳଖ ଆକାଶପଥ ମିଳିବ। ବିଶେଷକରି ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଏହା ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁବିଧା ଜନକ କରିବ ବୋଲି ଆଶା କରାଯାଉଛି। ଏପଟେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବର୍ତ୍ତମାନ ନିୟମିତ ଭାବେ ବିମାନ ଚଳାଚଳ କରୁଥିବା ଏକମାତ୍ର ଏୟାରଲାଇନ୍ସ ହେଉଛି ଇଣ୍ଡିଗୋ। ଏହା ଝାରସୁଗୁଡ଼ା କୁ ନୂଆଦିଲ୍ଲୀ, କୋଲକାତା ସମେତ ଅନ୍ୟ ପ୍ରମୁଖ ସହର ସହ ବିମାନ ପଥରେ ସଂଯୋଗ କରୁଛି।
