ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ ): ରକ୍ଷା ବନ୍ଧନରେ ରାଜ୍ୟର ସମସ୍ତ ଭଉଣୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଶୁକ୍ରବାର ବ୍ୟାଙ୍କ ଖାତାକୁ ଆସିବ ସୁଭଦ୍ରାର ପଞ୍ଚମ କିସ୍ତି । ପ୍ରତି ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ମାଧ୍ୟରେ ଦିଆଯିବ। ଏ ନେଇ ନୟାଗଡ଼ରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡାଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥର ୨ ଲକ୍ଷ ୨୧ ହଜାର ୫୪ ଜଣ ହିତାଧିକାରୀ ପ୍ରଥମ ଥର ପାଇଁ ସୁଭଦ୍ରା ଟଙ୍କା ପାଇବେ । ଅର୍ଥାତ୍ ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହୋଇଥିବା ମହିଳାମାନଙ୍କୁ ଏଥର ସାମିଲ କରାଯାଇଛି । ସମସ୍ତ ଯୋଗ୍ୟ ମହିଳା ଯେପରି ବିନା କୌଣସି ଅସୁବିଧାରେ ଏହି ଟଙ୍କା ପାଇପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ରକ୍ଷା ବନ୍ଧନରେ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ଯେଉଁ ମହିଳାମାନେ ଏହି କିସ୍ତି ପାଇବାକୁ ଯୋଗ୍ୟ, ସେମାନଙ୍କ ଆକାଉଣ୍ଟକୁ ରକ୍ଷାବନ୍ଧନ ଦିନ ସୁଭଦ୍ରା ଟଙ୍କା ପଠାଯିବ । ମୋଟ ୫ କୋଟି ୧୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବଣ୍ଟନ କରାଯିବ। ଯାଞ୍ଚ ବିଳମ୍ବ ହେତୁ ପୂର୍ବରୁ ଟଙ୍କା ପାଇ ନଥିବା ଯୋଗ୍ୟ ମହିଳାମାନେ ସମସ୍ତ ବକେୟା ଏକାଠି ପାଇବେ।