କଟକ(ସତ୍ୟପାଠ ବ୍ୟୁରୋ): ଏସ୍‌ସିବି ବଡ଼ ମେଡିକାଲରେ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଗତ ୧୦ ବର୍ଷ ଭିତରେ  ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍, ମାଟର୍ନିଟି ଲିଭ୍ ଇତ୍ୟାଦି ବାବାଦକୁ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି। ଏହି ଘଟଣାକୁ ଖୋଦ୍‌ ଏସ୍‌ସିବି ଅଧୀକ୍ଷକ ସ୍ବୀକାର କରିଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧୀକ୍ଷକ କହିଛନ୍ତି।

 କଟକ ବଡ଼ ମେଡିକାଲର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୧୦ ବର୍ଷ ଭିତରେ ବଡ଼ ଧରଣର ଆର୍ଥିକ ହେରଫେର୍‌ ହୋଇଛି। ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍, ମାଟର୍ନିଟି ଲିଭ୍ ଇତ୍ୟାଦି ବାବାଦକୁ ୧ କୋଟି ୪୦ ଲକ୍ଷ ଟଙ୍କା ହଡ଼ପ ହୋଇଛି। ଏହି ଟଙ୍କା ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବା ବଦଳରେ ଚଞ୍ଚକତା କରି ହଡ଼ପ କରାଯାଇଛି। କ୍ଷତିଗ୍ରସ୍ତ କର୍ମଚାରୀମାନେ ଏହାର ଟେର୍ ପାଇନଥିଲେ। ଆକାଉଣ୍ଟାଣ୍ଟ ଜେନେରାଲ (ଏଜି)ଙ୍କ ଅଡିଟ୍ ସମୟରେ ଏଭଳି ହେରଫେର ଧରାପଡ଼ିଥିଲା। ଏନେଇ ଏସ୍‌ସିବି ଅଧୀକ୍ଷକଙ୍କୁ ଗତ ସପ୍ତାହରେ ଚିଠି ଲେଖିଛନ୍ତି ଏଜି। ଏହି ଘଟଣା ପରେ ଅଧୀକ୍ଷକଙ୍କ କାର୍ୟ୍ୟାଳୟ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।