ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ଚେସ୍‌ ଦୁନିଆରେ ଭାରତର ନୂଆ ଇତିହାସ । ଗ୍ରାଣ୍ଡ ଚେସ୍‌ ଟୁର୍‌ ଜିତି ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ ଆର୍‌. ପ୍ରଜ୍ଞାନନ୍ଦା । ଡିଫେଣ୍ଡିଂ ଚାମ୍ପିଅନ୍‌ ଫାବିଆନୋ କାରୁଆନାଙ୍କ ବିପକ୍ଷରେ ଅବିଶ୍ୱସନୀୟ କମ୍‌ବ୍ୟାକ୍‌ କରି ଏହି ବଡ଼ ସଫଳତା ହାସଲ କରିଛନ୍ତି ଚେନ୍ନାଇର ଏହି ଗ୍ରାଣ୍ଡମାଷ୍ଟର । ଫାଇନାଲ୍‌ର ଶେଷ ଦିନ ପୂର୍ବରୁ ପ୍ରଜ୍ଞାନନ୍ଦା ୬ ପଏଣ୍ଟ ପଛରେ ଥିଲେ। କ୍ଲାସିକାଲ୍‌ ଗେମ୍‌ ପରେ ସ୍କୋର୍‌ ଥିଲା କାରୁଆନାଙ୍କ ସପକ୍ଷରେ ୯-୩। ଏଭଳି ସ୍ଥିତିରେ ପ୍ରଜ୍ଞାନନ୍ଦାଙ୍କ ପାଇଁ ଟାଇଟଲ୍‌ ଜିତିବା କଷ୍ଟକର ଲାଗୁଥିଲା। କିନ୍ତୁ ହାର ମାନିନଥିଲେ ପ୍ରଜ୍ଞାନନ୍ଦା । ରାପିଡ୍‌ର ଦୁଇଟି ଯାକ ଗେମ୍‌ ଜିତି ମ୍ୟାଚ୍‌ର ମୋଡ଼ ବଦଳାଇଦେଲେ । ଏହା ସହ ସ୍କୋର୍‌ ୧୧-୯ରେ ପହଞ୍ଚିଗଲା । ଏହାପରେ ବ୍ଲିଟସରେ କାରୁଆନା ଦମଦାର ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଗେମ୍‌ ଜିତିଥିଲେ । ପ୍ରଥମ ବ୍ଲିଟସ ଗେମ୍‌ ଡ୍ର ରହିଥିବାରୁ ସ୍କୋର୍‌ ପୁଣି ୧୨-୧୨ ହୋଇଥିଲା । ହେଲେ ପରବର୍ତ୍ତୀ ଗେମ୍‌ରେ ପ୍ରଜ୍ଞାନନ୍ଦା ବିଜୟୀ ହୋଇ ଆଉଥରେ ଆଗୁଆ ହୋଇଥିଲେ । ଶେଷ ଗେମ୍‌ରେ ଟାଇଟଲ୍‌ ଜିତିବା ପାଇଁ ପ୍ରଜ୍ଞାନନ୍ଦାଙ୍କୁ କେବଳ ଡ୍ର ଆବଶ୍ୟକ ଥିଲା । ଶେଷରେ ଥ୍ରୀଫୋଲ୍ଡ ରିପିଟିସନ୍‌ ମାଧ୍ୟମରେ ଗେମ୍‌ ଡ୍ର କରି ଗ୍ରାଣ୍ଡ ଚେସ୍‌ ଟୁର୍‌ ଟାଇଟଲ୍‌ ନିଜ ନାମରେ କରିନେଲେ ।

ଏହି ବିଜୟ ପ୍ରଜ୍ଞାନନ୍ଦାଙ୍କ ଚମତ୍କାର ୨୦୨୬ ଅଭିଯାନର ଆଉ ଏକ ବଡ଼ ଅଧ୍ୟାୟ । ଏହି ଗ୍ରାଣ୍ଡ ଚେସ୍‌ ଟୁର୍‌ ବିଜୟ ସହ ପ୍ରଜ୍ଞାନନ୍ଦା ୨ ଲକ୍ଷ ଡଲାର୍‌ ପୁରସ୍କାର ରାଶି ଜିତିଛନ୍ତି । ଏଥିସହ ୨୦୨୭ ଗ୍ରାଣ୍ଡ ଚେସ୍‌ ଟୁର୍‌ରେ ତାଙ୍କ ସ୍ଥାନ ମଧ୍ୟ ନିଶ୍ଚିତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି, ୨୦୨୬ ସର୍କିଟ୍‌ରେ ପ୍ରଜ୍ଞାନନ୍ଦାଙ୍କ ମୋଟ ପୁରସ୍କାର ରାଶି ୪ ଲକ୍ଷ ୪ ହଜାର ୩୫୪ ଡଲାର୍‌ରେ ପହଞ୍ଚିଛି । ଏବେ ପ୍ରଜ୍ଞାନନ୍ଦାଙ୍କ ନଜର ଭାରତୀୟ ଟିମ୍‌ ସହ ଚେସ୍‌ ଅଲିମ୍ପିଆଡ୍‌ ଉପରେ। ସେପ୍ଟେମ୍ବର ୧୬ରୁ ୨୭ ଯାଏଁ ଉଜବେକିସ୍ତାନର ସମରକନ୍ଦରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ନିଜ ଟାଇଟଲ୍‌ ବଜାୟ ରଖିବାକୁ ମଇଦାନକୁ ଓହ୍ଲାଇବ ।