ଜୟପୁର, (ସତ୍ୟପାଠବ୍ୟୁରୋ): ଦାଦାବଟି ଆଦାୟ ଓ ଚୋରି ଅଭିଯୋଗରେ ଜୟପୁର ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮ଟି ବାଇକ୍ ସହ ବିପୁଳ ଚୋରି ସାମଗ୍ରୀ ଜବତ ହୋଇଛି । ପୋଲିସର ସୂଚନା ଅନୁସାରେ, ଦାଦାବଟି ଆଦାୟ ଓ ଚୋରି ଭଳି ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗରେ ସହରର ବିଭିନ୍ନ ଅଞ୍ଚଳରୁ ୯ ଜଣଙ୍କୁ ଧରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ନିକଟରୁ ୮ଟି ବାଇକ୍, ୧୫ ବସ୍ତା ବାସୁମତୀ ଚାଉଳ, ନଗଦ ୨୦ ହଜାର ୫୦୦ ଟଙ୍କା ଏବଂ ଗୋଟିଏ ଛୁରୀ ଜବତ କରିଛି ପୋଲିସ। ଏହି ଅଭିଯୁକ୍ତମାନଙ୍କୁ ୪ଟି ଭିନ୍ନ ମାମଲାରେ ଗିରଫ କରାଯାଇଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଜେଲ୍ ପଠାଯାଇଛି । ତେବେ ଏହି ଗ୍ୟାଙ୍ଗ୍ର ଅନ୍ୟ କୌଣସି ଅପରାଧିକ କାର୍ଯ୍ୟକଳାପ ସହ ସମ୍ପର୍କ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଜୟପୁର ସହରରେ ଚୋରି ଓ ଦାଦାବଟି ଭଳି ଅପରାଧ ଉପରେ ନଜର ରଖିବା ସହ ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
