ମାଲକାନଗିରି, (ସତ୍ୟପାଠବ୍ୟୁରୋ): ବେକରେ ନା ପଡ଼ିଛି ଷ୍ଟେଥୋସ୍କୋପ ନା ହାତରେ ଅଛି ଇଞ୍ଜେକସନ। ତଥାପି ଏମାନେ ଡାକ୍ତର। ଘର ଘର ବୁଲି ରୋଗୀଙ୍କୁ ମେଡିସିନ ଦେଉଛନ୍ତି। ଦୁର୍ଗମ ଇଲାକାରେ ଏମାନେ ହିଁ ରୋଗୀଙ୍କ ପାଇଁ ଭଗବାନ ସଦୃଶ। ହେଲେ ଏହି ନକଲି ଡାକ୍ତର ବା କ୍ବାକମାନେ ଭୁଲି ଯାଉଛନ୍ତି, ଏମାନେ ପ୍ରକୃତରେ ଡାକ୍ତର ନୁହଁନ୍ତି। ଚିକିତ୍ସା ନାଁରେ ଭାଣ୍ଡାମି ଚଲାଉ ଥିବା ଅଭିଯୋଗ ହେଉଛି। ଏପରି କି ଅନେକ ସମୟରେ ଭୁଲ ମେଡିସିନ ଦେଇ ରୋଗୀଙ୍କୁ ହରଡ଼ଘଣାରେ ପକାଉଛନ୍ତି। ଫଳରେ ରୋଗୀ ମୃତ୍ୟୁ ମୁଖରେ ବି ପଡ଼ୁଛନ୍ତି । ମାଲକାନଗିରିରେ ଏଭଳି ଚିକିତ୍ସା ସେବା ଚାଲିଥିବାବେଳେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ପ୍ରାକୃତିକ ସମ୍ପଦରେ ଭରପୁର ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ଅଭାବ ହେଉ କିମ୍ବା ଅନ୍ଧ ବିଶ୍ବାସ ଯୋଗୁଁ ହେଉ ଆଜି ବି ଜିଲ୍ଲାରେ ଯେ କୌଣସି ଚିକିତ୍ସା ପାଇଁ ପ୍ରଥମ ପସନ୍ଦ ହେଉଛି କ୍ବାକ୍ ଏବଂ ଦିଶାରୀ(ଗୁଣି ଗାରେଡି)। ସ୍ଥାନୀୟ ଜନସାଧାରଣ ଯେ କୌଣସି ରୋଗ ହେଉ ଚିକିତ୍ସା ପାଇଁ ଶିକ୍ଷିତ ଓ ପ୍ରଶିକ୍ଷିତ ଡାକ୍ତର ଅପେକ୍ଷା କ୍ବାକ୍ ଏବଂ ଦିଶାରି ପାଖକୁ ଯାଉଥିବା ତଥ୍ୟରୁ ଜଣାପଡିଛି। ଫଳସ୍ବରୁପ ଜିଲ୍ଲାରେ ଶହ ଶହ ବେଆଇନ କ୍ଲିନିକ୍ ବେଧଡକ ଚାଲିଛି। ଅପରପକ୍ଷରେ ମ୍ୟାଲେରିଆ, ରକ୍ତହୀନତା, ଝାଡ଼ାବାନ୍ତି, ଶିଶୁ ଓ ମାତୃ ମୃତ୍ୟୁହାର ଏବଂ ପୁଷ୍ଟିହିନତାକୁ ନେଇ ସଂଘର୍ଷ କରୁଥିବା ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଏକ ବିକଳ ଚିତ୍ର ରିତିମତ ଦେଖିବାକୁ ମିଳିଛି। ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତର ଅଭାବରୁ କ୍ବାକମାନେ ନିଜକୁ ବିଶେଷଜ୍ଞ ଡାକ୍ତର ଭାବେ ପରିଚିତ କରାଇପାରିଛନ୍ତି ଏବଂ ଆସ୍ଥାଭାଜନ ହୋଇପାରିଛନ୍ତି । ଫଳରେ ଏକ ବିପଜ୍ଜନକ ପରିସ୍ଥିତି ଜିଲ୍ଲାରେ ବହୁଦିନ ଧରି ସୃଷ୍ଟି ହୋଇଆସିଅଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲାରେ ୩୮୨ ଡାକ୍ତର ଅନୁମୋଦିତ ହୋଇଥିବା ବେଳେ ମାତ୍ର ୧୪୪ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି । ଜିଲ୍ଲାରେ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୩୦ଟି ପ୍ରାଥମିକ ସ୍ୱାସ୍ଥ୍ୟ ଓ ୨ ୭ ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରହିଛି ! ଜିଲ୍ଲାରେ ୫୬ ଟି ବିଶେଷଜ୍ଞ ଡାକ୍ତର ପଦବୀରୁ ମାତ୍ର ଅଛନ୍ତି ୧୪ ଜଣ ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୯ଜଣ ଡାକ୍ତରଙ୍କ ମଧ୍ୟରୁ ଅଛନ୍ତି ୪୩ ଜଣ ! ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଠିକ ଭାବେ ଡାକ୍ତର ରହୁ ନଥିବାରୁ ସ୍ଥାନୀୟ ଲୋକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି Iଏଭଳି ସ୍ଥିତିରେ ସ୍ଥାନୀୟ ଗରିବ ଲୋକେ ଡାକ୍ତରଙ୍କ ଅପେକ୍ଷା କ୍ବାକ୍ ଏବଂ ଦିଶାରିଙ୍କ ଉପରେ ମାତ୍ରାଧିକ ଭରସା କରୁଥିବା ଦେଖିବାକୁ ମିଳିଛି। ଏପରିକି ପ୍ରାଣ ଘାତକ ମ୍ୟାଲେରିଆ ଚିକିତ୍ସା ପାଇଁ କ୍ବାକ ଏବଂ ଦିଶାରି ଉପରେ ହିଁ ସ୍ଥାନୀୟ ଲୋକ ଭରସା କରି ମୃତ୍ୟୁ ମୁଖରେ ପଡୁଛନ୍ତି। ସରକାରଙ୍କ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟ ମାନଙ୍କରେ ମ୍ୟାଲେରିଆରେ ଆକ୍ରାନ୍ତ ହେଲାପରେ ପରିବାରବର୍ଗ ସେମାନଙ୍କ ପିଲାଙ୍କୁ ହଷ୍ଟେଲରୁ ବାହାର କରି ନିଜ ଘରକୁ ଚିକିତ୍ସା ପାଇଁ ନେଇ କ୍ବାକ୍ ଏବଂ ଦିଶାରିର ଶରଣରେ ପଶିଥାନ୍ତି। ଏଭଳି ଘଟଣାରେ ଗତ ୨ ବର୍ଷ ମଧ୍ୟରେ ୭ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ମୃତ୍ୟୁବରଣ ମଧ୍ୟ କରିଛନ୍ତି। କିଟ୍ ଏସିଟି-ଏସପି (ଆର୍ଟେସୁନେଟ କମ୍ବି ପ୍ୟାକ) ଖାଇଲା ପରେ ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି କିନ୍ତୁ ପୁଷ୍ଟିକର ଖାଦ୍ୟ ଅଭାବରୁ ମ୍ୟାଲେରିଆ ଆକ୍ରାନ୍ତ ମାନେ ସଂକଟରେ ପଡିଥାନ୍ତି ! ଡାକ୍ତରଙ୍କ ତତ୍ବାବଧାନରେ ରୋଗୀ ରହିଲେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚିବାରେ ଅଧିକା ସଂଭାବନା ରୁହେ। କିନ୍ତୁ ଜିଲ୍ଲାରେ ନିରକ୍ଷରତା ହାର ଅଧିକା ରହିଥିବା ଏବଂ ଏଥିପାଇଁ କୁସଂସ୍କାର ଏବଂ ଅନ୍ଧ ବିଶ୍ବାସ ପ୍ରଥା ଅଧିକା ପ୍ରଚଳିତ ହେଇଥିବାରୁ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତର ପ୍ରଭାବ ପକାଉଛି ବୋଲି ସୂଚନାରୁ ଜଣାପଡିଛି।