ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମେଟ୍ରୋ ପ୍ରକଳ୍ପକୁ ପୁଣି ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ‌େମଟ୍ରୋ ପ୍ରକଳ୍ପ ହେଲେ ପ୍ରତିବର୍ଷ ୨ ହଜାର କୋଟି ଟଙ୍କା କ୍ଷତି ହେବ। ପୂର୍ବ ସରକାର ଅମଳରେ ମେଟ୍ରୋ ପ୍ରକଳ୍ପକୁ ନେଇ ଯେଉଁ ସବୁ ଚୁକ୍ତି ହୋଇଥିଲା ସେଥିରେ ବହୁତ ତ୍ରୁଟି ଥିଲା। ଯେଉଁ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ହୋଇଛି ସେଠାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ହୋଇଛି। କିନ୍ତୁ ଆମ ରାଜ୍ୟରେ ପୂର୍ବ ସରକାର ଜାଣିଶୁଣି କେନ୍ଦ୍ର ସରକାରଙ୍କ ସହଯୋଗ ନେଲେନି। ଆଗାମୀ ଦିନରେ ମେଟ୍ରୋକୁ ନେଇ ସରକାର ଗମ୍ଭୀର ଅଛନ୍ତି। ମୋବିଲିଟି ପ୍ଲାନ୍‌ ହେଲା ପରେ ମେଟ୍ରୋକୁ ନେଇ ସରକାର ଚିନ୍ତା କରିବେ ବୋଲି କହିଛନ୍ତି । ସେପଟେ ପୃଥ୍ବୀରାଜଙ୍କ ବୟାନକୁ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା ସମାଲୋଚନା କରିଛନ୍ତି। ଶ୍ରୀ ଜେନା କହିଛନ୍ତି, ବିଜେଡି କାଳେ ମାଇଲେଜ୍ ନେଇଯିବ ସେଥିପାଇଁ ରାଜ୍ୟ ସରକାର ମେଟ୍ରୋକୁ ବନ୍ଦ କରିଦେଲେ। ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ବନ୍ଦ ହେବା ଦୁଃଖଦାୟକ। ଭୁବନେଶ୍ବରରେ ମେଟ୍ରୋର ଆବଶ୍ୟକତା ଅଛି। ମେଟ୍ରୋ ନ ରହିଲେ କୌଣସି ସଂସ୍ଥା ବ୍ୟବସାୟ ପାଇଁ ଆସିବେ ନାହିଁ। ମେଟ୍ରୋ ନ ଚଲେଇବା ସରକାରଙ୍କ ହୀନ ମାନସିକତା। ବିଜେପି ସରକାର ରହିଲେ ଓଡ଼ିଶା ବୋଧେ ଆଉ ମେଟ୍ରୋ ଦେଖିପାରିବ ନାହିଁ ବୋଲି କହିଛନ୍ତି ।