କାଠମାଣ୍ଡୁ(ସତ୍ୟପାଠବ୍ୟୁରୋ) : ନେପାଳରେ ଭୟଙ୍କର ବନ୍ୟା ପରେ ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ସହଯୋଗ କରିବାକୁ ଭାରତ, ଚୀନ, ଆମେରିକା ସମେତ ବିଭିନ୍ନ ଦେଶ ପକ୍ଷରୁ ଦିଆଯାଇଥିବା ହେଲିକପ୍ଟର ଓ ପ୍ରଶିକ୍ଷିତ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ନେପାଳ ସରକାର ମନା କରିଦେଇଛନ୍ତି। ନିଜ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ଉଦ୍ଧାର କାର୍ଯ୍ୟ ସମ୍ଭାଳିବାରେ ସକ୍ଷମ ବୋଲି କହିଛି କାଠମାଣ୍ଡୁ ।
ନେପାଳରେ ଆକସ୍ମିକ ବନ୍ୟା ପରେ ବଢୁଛି ମୃତକ ଓ ନିଖୋଜଙ୍କ ସଂଖ୍ୟା । ନିଖୋଜଙ୍କ ମଧ୍ୟରେ ଶତାଧିକ ବିଦେଶୀ ନାଗରିକ । କୈଳାସ ମାନସରୋବର ଓ ଗୋସାଇଁକୁଣ୍ଡ ଯାତ୍ରାରେ ଯାଇଥିବା ଅନେକ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି । ଏଭଳି କ୍ଷେତ୍ରରେ ବିଭିନ୍ନ ଦେଶରୁ ସହାୟତା ସହ ଉଦ୍ଧାକାରୀ ଦଳର ସୁଅ ଛୁଟୁଛି । ଏପଟେ କିନ୍ତୁ ବିଦେଶୀ ଉଦ୍ଧାରକାରୀ ଦଳକୁ ଅନୁମତି ଦେବାକୁ ମନା କରି ଦେଇଛି ନେପାଳ । ଏହା ପଛରେ ରହିଛି ବଡ ରହସ୍ୟ । କୁହାଯାଉଛି ୨୦୧୫ ମସିହାର ଭୟାବହ ଭୂମିକମ୍ପର ଅଭିଜ୍ଞତା ମୁଖ୍ୟ କାରଣ ବୋଲି ନେପାଳୀ ଅଧିକାରୀମାନେ କହିଛନ୍ତି । ୨୦୧୫ରେ ଭୂମିକମ୍ପ ପରେ ବିଭିନ୍ନ ଦେଶରୁ ବହୁ ସଂଖ୍ୟାରେ ଉଦ୍ଧାରକାରୀ ଦଳ, ସାମରିକ ବିମାନ ଓ ରିଲିଫ୍ ସଂଗଠନ ନେପାଳରେ ପହଞ୍ଚିଥିଲେ । ଏହା ନେପାଳର ଜରୁରୀକାଳୀନ କ୍ଷମତା ବଢ଼ାଇଥିଲା । କିନ୍ତୁ ଏକାସାଙ୍ଗରେ ଏତେ ବିଦେଶୀ ଦଳ ପହଞ୍ଚିବା ଯୋଗୁ ଲଜିଷ୍ଟିକ୍ସ ଓ ପ୍ରଶାସନିକ ସମନ୍ୱୟରେ ସମସ୍ୟା ସୃଷ୍ଟି ହୋଇଥିଲା । ବିଦେଶୀ ଉଦ୍ଧାରକାରୀ ଦଳଗୁଡ଼ିକ ମଧ୍ୟରେ ସମନ୍ୱୟର ଅଭାବ ଏବଂ ସେମାନଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବାରେ ଅସୁବିଧା ହୋଇଥିବାରୁ ଏଥର ନେପାଳ ସ୍ପଷ୍ଟ ଭାବେ ନିଜସ୍ୱ ଚେନ୍ ଅଫ୍ କମାଣ୍ଡ ମଧ୍ୟରେ ଉଦ୍ଧାର ଅଭିଯାନ ଚଳାଇବାକୁ ଚାହୁଁଛି । ଉଦ୍ଧାରକାରୀ ଦଳକୁ ଅନୁମତି ନଦେଇଥିଲେ ମଧ୍ୟ ନେପାଳ ବିଦେଶୀ ଦେଶଗୁଡ଼ିକରୁ ରିଲିଫ୍ ସାମଗ୍ରୀ ଓ ଆର୍ଥିକ ସହାୟତା ଗ୍ରହଣ କରୁଛି । ଭାରତ ‘ପଡ଼ୋଶୀ ପ୍ରଥମ’ ନୀତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୦ ଟନ୍ ମାନବିକ ସହାୟତା ପଠାଇଥିଲା। ପରେ ସାମରିକ ପରିବହନ ବିମାନ ଯୋଗେ ଆଉ ୩୭.୫ ଟନ୍ ସାମଗ୍ରୀ ପଠାଯାଇଥିଲା।
ଭାରତୀୟ ବାୟୁସେନା ଅସ୍ଥାୟୀ ଆଶ୍ରୟସ୍ଥଳୀ, କମ୍ବଳ, ହାଇଜିନ୍ କିଟ୍, ସୋଲାର ଲ୍ୟାମ୍ପ, ଔଷଧ ଓ ଖାଦ୍ୟ ପ୍ୟାକେଟ୍ ପଠାଯାଇଛି। ବନ୍ୟାରେ ନଷ୍ଟ ହୋଇଥିବା ଛୋଟ–ବଡ଼ ଅନେକ ପୋଲର ପୁନର୍ନିର୍ମାଣ ପାଇଁ ବେଲି ବ୍ରିଜ୍ ଯୋଗାଇବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ନେପାଳ ଯେଉଁ ସହାୟତା ଚାହିଁଛି, ଭାରତ ସେହି ଅନୁଯାୟୀ କାର୍ଯ୍ୟ କରୁଛି ।
ବିଦେଶରୁ ମିଳୁଥିବା ଆର୍ଥିକ ସହାୟତାକୁ କେନ୍ଦ୍ରୀଭୂତ କରିବା ପାଇଁ ନେପାଳ ସରକାର ‘ୱାନ୍–ଡୋର୍ ମେକାନିଜମ୍’ ଲାଗୁ କରିଛି। ବିଦେଶରେ ଥିବା ନେପାଳୀ ଦୂତାବାସ ଓ ମିଶନଗୁଡ଼ିକୁ କେବଳ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍ ମାଧ୍ୟମରେ ଆର୍ଥିକ ସହାୟତା ସଂଗ୍ରହ କରିବାକୁ କୁହାଯାଇଛି। ଗୋଟିଏ ସ୍ଥାନରୁ ସବୁ ଅପରେଟ ହେଲା ପରେ ସମ୍ବଳ ପହଞ୍ଚାଇବା ସହଜ ହେବ ବୋଲି ସରକାର ଆଶା କରିଛନ୍ତି ।
ଆମେରିକା, ବ୍ରିଟେନ୍ ଓ ବିଶ୍ୱ ବ୍ୟାଙ୍କ ସହାୟତା ଘୋଷଣା କରିଥିବାବେଳେ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ଜରୁରୀକାଳୀନ ସହାୟତା ସହ ଭବିଷ୍ୟତରେ ବିପଦ ମୂଲ୍ୟାଙ୍କନ, ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ଦୃଢ଼ ଭିତ୍ତିଭୂମି ପାଇଁ ସହଯୋଗର ପ୍ରସ୍ତାବ ଦେଇଛି।
