ସତ୍ୟପାଠ ବ୍ୟୁରୋ 29/08/2026 :ପାରଳାଖେମୁଣ୍ଡି / କାଶୀନଗର:ବଂଶଧାରା ନଦୀରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ମାଣ ହେବାକୁ ଥିବା ବହୁଚର୍ଚ୍ଚିତ ‘ନେରେଡ଼ି ବ୍ୟାରେଜ୍’ ପ୍ରକଳ୍ପକୁ ନେଇ ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ଜନଅସନ୍ତୋଷ ତୀବ୍ର ରୂପ ନେଇଛି। ପ୍ରକଳ୍ପ ପାଇଁ ଜମି ଚିହ୍ନଟ ଓ ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ଜୋରଦାର ବିରୋଧ କରିଛନ୍ତି। ପ୍ରଜାଙ୍କ ବିରୋଧ ଯୋଗୁଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଯୁଗ୍ମ ସଂଯୋଜକ କମିଟିର ସ୍ଥିରୀକୃତ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ବାତିଲ ହୋଇଛି।
ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏହି ଯୁଗ୍ମ କମିଟି ପ୍ରକଳ୍ପ ଅଞ୍ଚଳର ଜମି ସ୍ଥିତି ଓ ଆବଶ୍ୟକତା ସମ୍ପର୍କରେ ସରଜମିନ ତଦାରଖ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ପ୍ରଭାବିତ ଲୋକଙ୍କ ସହ କୌଣସି ପ୍ରକାର ଆଲୋଚନା ନକରି ଏହି ପ୍ରକ୍ରିୟାକୁ ଆଗେଇ ନେବାକୁ ସଂଗ୍ରାମ ସମିତି ଦୃଢ଼ ବିରୋଧ କରିଛି। ପ୍ରଭାବିତ ପରିବାର ଓ ସ୍ଥାନୀୟ ଲୋକଙ୍କ ମତାମତ ଗ୍ରହଣ କରାଯିବା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବା ଉଚିତ ବୋଲି ବଂଶଧାରା ସଂଗ୍ରାମ ସମିତି ଦାବି କରିଛି।
ଏହି କ୍ରମରେ, ବଂଶଧାରା ନଦୀ ସୁରକ୍ଷା ମଞ୍ଚର ଆବାହକ ବ୍ରଜ ନାୟକଙ୍କ ନେତୃତ୍ୱରେ ଏବଂ ସମିତି ସଦସ୍ୟ ଜଗନ୍ନାଥ ବୋରାଙ୍କ ସହଯୋଗରେ କାଶୀନଗର ବ୍ଲକ୍ ସାରା ଠାରେ ଏକ ବିଶାଳ ପ୍ରତିବାଦ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷ ସି. ସାୟାମ୍ନା, ବିଜେପି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ, ବିଶ୍ୱଜିତ୍ ତ୍ରିପାଠୀ, ଲେଙ୍କା ସିମାଦ୍ରି, ଚରଣ କୃଷ୍ଣ ମହାନ୍ତି, ବିନୋଦ ହେଲା, ଭାଗବତ ପାତ୍ର, ମିଟୁ ମିଶ୍ର, ରଘୁରାମ ସାହୁ ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସମେତ ପ୍ରଭାବିତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ପ୍ରକଳ୍ପକୁ ବିରୋଧ କରିଥିଲେ।
ପ୍ରଭାବିତ ପରିବାର ଓ ସ୍ଥାନୀୟ ଲୋକଙ୍କ ଆପତ୍ତି ଓ ମତାମତ ନନେବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ପ୍ରଶାସନ ଓ ସଂଗ୍ରାମ ସମିତି ମଧ୍ୟରେ ଆଲୋଚନା ହୋଇଛି। ଯଦି ପ୍ରଶାସନ ଓ ପ୍ରଭାବିତ ଲୋକଙ୍କ ମଧ୍ୟରେ ପୂର୍ଣ୍ଣ ସହମତି ନହୁଏ, ତେବେ ଯୁଗ୍ମ କମିଟିର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି କଡ଼ା ବିରୋଧ କରାଯିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।
