ଲକ୍ଷ୍ମୀପୁର, (ସତ୍ୟପାଠବ୍ୟୁରୋ): ବର୍ଷ ବର୍ଷ ବିତି ଗଲାଣି, ହେଲେ ନିର୍ମାଣ କାମ ସରୁନି। ଅଧାରେ ଅଟକି ରହିଛି ପ୍ରାଣୀଧନ ଚିକିତ୍ସାଳୟ ନୂତନ କୋଠା ତିଆରି କାମ। ସାତ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରିଲାନି ନାରାୟଣ ପାଟଣା ବ୍ଲକ୍ ର ନୂତନ ପ୍ରାଣୀଧନ ଚିକିତ୍ସାଳୟ। ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଗତ ସରକାରଙ୍କ ଅମଳରେ କୋରାପୁଟ ଜିଲ୍ଲା ନାରାୟଣପଟଣା ବ୍ଲକ୍ ସଦରରେ ଉନ୍ନତମାନର ପ୍ରାଣୀଧନ ଚିକିତ୍ସାଳୟ ନିମନ୍ତେ ଏକ କୋଟି ଟଙ୍କା ଅର୍ଥ ମଞ୍ଜୁରୀ ହୋଇଥିଲା। ଓଡିଶା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନ ସଂସ୍ଥାକୁ ନିର୍ମାଣ ଦାୟୀତ୍ୱ ଦିଆଯାଇଥିଲା। ହେଲେ ଛଅଟି ରୁମ ନିର୍ମାଣ ସହ ଛାତ ପଡିବା ପରେ ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଅଟକି ଯାଇଥିଲା। ଏହା ମଧ୍ୟରେ ୭ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ନିର୍ମାଣ ଦାୟୀତ୍ୱ ନେଇଥିବା ସଂସ୍ଥା ପାଖରେ କୌଣସି ଖବର ନାହିଁ। କାର୍ଯ୍ୟ କିଏ କରୁଥିଲା, କାହିଁକି ଅଧାପନ୍ତରିଆ ଅବସ୍ଥାରେ ନୂତନ କୋଠା ସାତ ବର୍ଷ ହେଲାଣି ପଡି ରହିଛି ତାର ଉତ୍ତର କାହା ପାଖରେ ନାହିଁ। ବର୍ତ୍ତମାନ ଏହା ରହସ୍ୟ ଘେରରେ ରହିଛି। ବର୍ତ୍ତମାନ ସେହି ପୁରୁଣା ଟିଣ ଘରରେ ହିଁ ଚାଲିଛି ପ୍ରାଣୀ ଚିକିତ୍ସା। ଉକ୍ତ ପ୍ରାଣୀ ଚିକିତ୍ସାଳୟ ପରିସରରେ ଗୃହପାଳିତ ପଶୁଙ୍କୁ ରଖି ଚିକିତ୍ସା କରିବା ପାଇଁ ଆବଶ୍ୟକ ସ୍ଥାନ ନାହିଁ। ଭଲ ଅଫିସ ଗୃହ ନାହିଁ କି କର୍ମଚାରୀଙ୍କ ରହିବା ପାଇଁ ଘର ନାହିଁ। ଯନ୍ତ୍ରାଂଶ ଗୁଡ଼ିକର କଥା ନକହିବା ଭଲ। ସେଗୁଡିକ କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ଅଞ୍ଚଳବାସୀଙ୍କଠୁ ଖବରପାଇ ନାରାୟଣପଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରିନାଥ ପ୍ରାଣୀଧନ କାର୍ଯ୍ୟାଳୟରେ ପହଂଚି ଅଧନିର୍ମିତ କୋଠା ପରିଦର୍ଶନ କରିଥିଲେ। ସବୁ କିଛି ଜାଣିବା ପରେ ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବି କରିବା ସହ ସରକାରଙ୍କ ଅର୍ଥ କୁ ହେର ଫେର କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିବା ବେଳେ ନୂତନ କୋଠା ନିର୍ମାଣ ଶେଷ କରିବା ଦିଗରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିବା ନିହାତି ଦରକାର ହୋଇପଡିଛି।