ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଲୋକସେବା ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖେଳ ପଡ଼ିଆରୁ ବିଶ୍ୱ ଦରବାର ପର୍ଯ୍ୟନ୍ତ ଓଡ଼ିଶାର ଏହି କାୟାକଳ୍ପକୁ ‘ପଡ଼ିଆରୁ ପୋଡ଼ିୟମ୍’ ଆଭିମୁଖ୍ୟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଓଡ଼ିଶା ଆଜି ଭାରତର ଏକ ପ୍ରମୁଖ କ୍ରୀଡ଼ା ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଛି। ରାଜ୍ୟର ପିଲାମାନଙ୍କ ପାଇଁ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଆମ ପିଲାମାନଙ୍କ ପାଇଁ ସର୍ବୋତ୍ତମ ତାଲିମ ସୁବିଧା ପ୍ରଦାନ ନିମନ୍ତେ ଆମେ ପ୍ରତିବଦ୍ଧତାର ସହ କାର୍ଯ୍ୟରତ ଅଛୁ ବୋଲି ଦର୍ଶାଇ ସେ କହିଥିଲେ, ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟର ୩୧୪ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ, ଭୁବନେଶ୍ୱରର ଗୋଠପାଟଣାଠାରେ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଢେଙ୍କାନାଳରେ ‘ବାଜି ରାଉତ ରିଜିଓନାଲ ସ୍ପୋର୍ଟ୍ସ ହବ୍‘ ସମେତ ଅନ୍ୟ ୫ଟି ଆଞ୍ଚଳିକ ହବ୍ ସ୍ଥାପନ କରାଯାଉଛି।
ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରଠାରେ ରାଜ୍ୟ ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସିଏମ୍ ଟ୍ରଫି‘ ଏବଂ ଖେଳକୁ ପ୍ରତିଯୋଗିତା ଦୃଷ୍ଟିରେ ନୁହେଁ ବରଂ ଏକ ସାମାଜିକ ପରିବର୍ତ୍ତନର ମାଧ୍ୟମ ଭାବେ ଗ୍ରହଣ କରି ମାଓ ପ୍ରଭାବିତ ୧୦ଟି ଜିଲ୍ଲାର ୪୮୫ଟି ଗ୍ରାମରେ ଯୁବବର୍ଗଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଉଛି। ଓଡ଼ିଶା ଭାରତବର୍ଷରେ ପ୍ରଥମ ଥର ପାଇଁ ଆଗାମୀ “୨୦୨୮ ଏସିଆନ୍ ଏବଂ ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍” ଆୟୋଜନ କରିବାର ଐତିହାସିକ ଗୌରବ ହାସଲ କରିଛି ବୋଲି ସେ ପ୍ରକାଶ କରିଛନ୍ତି।
