ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସିଛି ନୂଆ ମୋଡ଼ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ । ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଥିଲା । ତେବେ ଚୂଡ଼ାନ୍ତ ଚାର୍ଜସିଟ୍‌ରେ ବିକ୍ରମ ପଣ୍ଡାଙ୍କ ସମେତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫା ବାଦ୍ ଦିଆଯାଇଛି ।

ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ପିଣ୍ଟୁ ଦାସ, ମଦନ ଦଳେଇ ଓ ମଳୟ ବିଷୋୟୀଙ୍କ ନାଁରୁ ମଧ୍ୟ ହତ୍ୟା ଦଫା ହଟାଯାଇଛି । ଏମାନଙ୍କ ବିରୋଧରେ ଏବେ କେବଳ ସଂଗଠିତ ଅପରାଧ ସମ୍ପର୍କିତ ବିଏନଏସ୍‌ର ଧାରା ୧୧୧ ଲାଗିଛି । ହତ୍ୟା ସମ୍ପର୍କିତ ବିଏନଏସ୍‌ର ଧାରା ୧୦୩କୁ ଚୂଡ଼ାନ୍ତ ଚାର୍ଜସିଟ୍‌ରୁ ବାଦ ଦିଆଯାଇଛି । ତେବେ ଗୁଳି ଚଳାଇଥିବା ଅଭିଯୋଗ ଥିବା କୁରୁପତି ଭୂୟାଁ ଏବଂ ତାଙ୍କୁ ଗାଡ଼ିରେ ନେଇ ଯାଇଥିବା ଚିଣ୍ଟୁ ପ୍ରଧାନଙ୍କ ବିରୋଧରେ ହତ୍ୟା ଦଫା ପୂର୍ବଭଳି ରହିଛି ।ଗତବର୍ଷ ଅକ୍ଟୋବର ୨୨ ତାରିଖରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା । ଏବେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ପୀତବାସ ପଣ୍ଡା ହତ୍ୟା ମାମଲାର ଆଗାମୀ ଗତିକୁ ନେଇ ଚର୍ଚ୍ଚା ବଢିଛି । ତେବେ ଚୂଡ଼ାନ୍ତ ଚାର୍ଜସିଟ୍‌ରେ ୧୪ ଜଣଙ୍କ ନାଁରୁ ହତ୍ୟା ଦଫା ବାଦ୍ ଦିଆଯିବା ଏବଂ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିବା ପରେ ମାମଲା କେଉଁ ଦିଗକୁ ଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।