ବୌଦ୍ଧ, (ସତ୍ୟପାଠବ୍ୟୁରୋ): ଚାଷ କରିବାକୁ ହେଲେ ଆଗରେ ଅନେକ ସମସ୍ୟା। କେତେବେଳେ ସହିବାକୁ ପଡ଼ୁଛି ପ୍ରକୃତିର କରାଳ ରୂପ ତ ଆଉ କେତେବେଳେ ସାମନା କରିବାକୁ ପଡ଼ୁଛି ମନୂଷ୍ୟକୃତ ସମସ୍ୟାର। ପ୍ରକୃତି ଆଗରେ କିଛି ସମୟ ପାଇଁ ମୁଣ୍ଡ ନୁଆଁଇ ଦେଲେ ପୁଣି ଉଠି ପାରିବ। କିନ୍ତୁ ମନୁଷ୍ୟକୃତ ସମସ୍ୟାର ଅନ୍ତ ନାହିଁ। ସେହିଭଳି ଏକ ସମସ୍ୟାର ସମୁଖୀନ ହୋଇଛନ୍ତି ବୌଦ୍ଧର ଚାଷୀ। ଜମିରେ ଧାନ ଚାଷ ଚାଲିଥିବାବେଳେ ଏବେ ସାରର ଘୋର ଆବଶ୍ୟକତା ରହିଛି। ଏଭଳି ସମୟରେ ଜାଣି ଶୁଣି ସାରର କଳା ବଜାରୀ କରି ଚାଷୀଙ୍କୁ ହଇରାଣ କରାଯାଉଛି। ଯାହାକୁ ନେଇ ବାରମ୍ବାର ଅଭିଯୋଗ ପରେ ସାର କଳାବଜାରୀ ବିରୋଧରେ ପୋଲିସ ବଡ଼ ଆକ୍ସନ୍ ନେଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ପୋଲିସ ବିଭିନ୍ନ ସାର ଗୋଦାମ ଓ ଦୋକାନରେ ରେଡ୍ କରିଛି । ରାତିରୁ ଗୋଦାମ ଜଗିଛି ମନମୁଣ୍ଡା ପୋଲିସ । ସାର ଚଢ଼ାଦରରେ ବିକ୍ରି ଏବଂ କଳାବଜାରୀ ହେଉଥିବା ଅଭିଯୋଗ ପରେ ଏବେ ତତ୍ପର ହୋଇଛି ପୋଲିସ ପ୍ରଶାସନ। ବିଭିନ୍ନ ସାର ଦୋକାନ ଓ ଗୋଦାମରେ ଚଢ଼ଉ ଜାରି ରଖିଛି ମନମୁଣ୍ଡା ପୋଲିସ। ଖଟଖଟିଆ ଅଞ୍ଚଳରେ ଥିବା ଏକ ସାର ଗୋଦାମରେ ମଧ୍ୟ ପୋଲିସ ରେଡ୍ କରିଛି। ରାତିରୁ ଗୋଦାମ ନିକଟରେ ପୋଲିସ ରହିଥିବାବେଳେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋଦାମର କାଗଜପତ୍ର ଏବଂ ସାରର ଷ୍ଟକ୍ ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ଯଦି ବେଆଇନ ଭାବେ ସାର ଗଚ୍ଛିତ ରଖାଯାଇଥିବା କିମ୍ବା ନିୟମ ବାହାରେ ସାର ବିକ୍ରି କରାଯାଉଥିବା ପ୍ରମାଣ ମିଳେ, ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । କଣ୍ଟାମାଳ ଅଞ୍ଚଳରେ ଗତ କିଛି ଦିନ ହେବ ଚାଷୀମାନଙ୍କୁ ନିର୍ଦ୍ଧାରିତ ଦରରେ ସାର ମିଳୁନଥିବା ନେଇ ମଧ୍ୟ ଅଭିଯୋଗ ରହିଛି।