ଅଯୋଧ୍ୟା(ସତ୍ୟପାଠବ୍ୟୁରୋ): ରାମ ମନ୍ଦିର ଦାନ ଅର୍ଥ ହେରଫେର ପରେ ଟ୍ରଷ୍ଟର ପ୍ରଶାସନିକ, ଆର୍ଥିକ ଓ ଆଇନଗତ କାର୍ଯ୍ୟର ତଦାରଖ ପାଇଁ ସିଇଓଙ୍କୁ ଚୟନ କରାଯାଇଛି। ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରା । ଅଯୋଧ୍ୟା ରାମ ମନ୍ଦିରର ପରିଚାଳନାକୁ ଆହୁରି ସୁସଂଗଠିତ ଓ ପାରଦର୍ଶୀ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା CEO ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହ ଟ୍ରଷ୍ଟର ପରିଚାଳନା ବ୍ୟବସ୍ଥାରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ।
ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ CEOଙ୍କ ଦାୟିତ୍ୱ ଓ ଅଧିକାରକୁ ନେଇ ନୂଆ ନିୟମ ଉପରେ ଆଲୋଚନା ହୋଇଛି । CEO ମନ୍ଦିର ଟ୍ରଷ୍ଟର ପ୍ରଶାସନିକ, ଆର୍ଥିକ ଓ ଆଇନଗତ କାର୍ଯ୍ୟର ତଦାରଖ କରିବେ । ଏଥିସହ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା, ପରିଚାଳନାରେ ନୂଆ ବ୍ୟବସ୍ଥା ଲାଗୁ କରିବା ଏବଂ ଟ୍ରଷ୍ଟର ନିୟମାବଳୀ ପାଳନ ସୁନିଶ୍ଚିତ କରିବା ମଧ୍ୟ ତାଙ୍କ ଦାୟିତ୍ୱ ରହିବ ।
ଏହାସହ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ସ୍ଥାୟୀ କମିଟି ଗଠନ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି । ଟ୍ରଷ୍ଟ ପାଇଁ ଜଣେ ଅଧିକାରିକ ପ୍ରେସ୍ ପ୍ରବକ୍ତା ନିଯୁକ୍ତି ନେଇ ମଧ୍ୟ ପଦକ୍ଷେପ ନିଆଯିବ । ଅନ୍ୟପଟେ, ମନ୍ଦିରକୁ ଆସୁଥିବା ଦାନ ଓ ଅର୍ପଣକୁ ନେଇ ଉଠିଥିବା ଅଭିଯୋଗର SIT ତଦନ୍ତ ଏବଂ ସୁପ୍ରିମକୋର୍ଟରେ ଚାଲିଥିବା ପ୍ରକ୍ରିୟାର ସ୍ଥିତି ମଧ୍ୟ ସମୀକ୍ଷା କରାଯିବ ।
