ମାଲକାନଗିରି, (ସତ୍ୟପାଠ ବ୍ୟୁରୋ): ସ୍ବାଭିମାନ ଅଞ୍ଚଳକୁ ମିଳିଛି ନୂଆ ପରିଚୟ। ସ୍ବାଭିମାନର ସହ ବଞ୍ଚିବା ଶିକ୍ଷିଲେଣି ଏଠାକାର ଲୋକେ। ଏଣିକି ଆଉ ଡରି, ଲୁଚି ଛପି ଗଞ୍ଜେଇ ଚାଷ କରିବେ ନାହିଁ। ଗଞ୍ଜେଇ ଛାଡ଼ି ଏଠାକାର ଆଦିବାସୀ ଲୋକେ ହଳଦୀ ଓ ମାଣ୍ଡିଆ ଚାଷ କରି ବେଶ ସଫଳ ହେବା ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଦିନ ଥିଲା ବେଆଇନ ଭାବରେ ଟନ ଟନ ଗଞ୍ଜେଇ ଫସଲ କରୁଥିଲେ ସ୍ବାଭିମାନ ଅଞ୍ଚଳବାସୀ। ଏଠାରେ ସମତଳ ଜମି କମ ଥିବା ଯୋଗୁଁ ପାହାଡିଆ ଅଞ୍ଚଳରେ ଖାଲି ଗଂଜେଇ ଚାଷ କରୁଥିଲେ। ହେଲେ ମେ ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଅଞ୍ଚଳର ଦୃଶ୍ୟ ବଦଳିଛି। ସରକାରୀ ସହାୟତା ବଳରେ ଗଂଜେଇ ଚାଷ ଛାଡ଼ି ଅର୍ଥକାରା ହଳଦୀ ଓ ମାଣ୍ଡିଆ ଚାଷ ମୁହାଁ ହୋଇଛନ୍ତି ଅଞ୍ଚଳବାସୀ। ସ୍ବାଭିମାନ ଅଞ୍ଚଳର ଯୁଆଡେ ଦେଖିଲେ ଖାଲି ସୁନାର ଫସଲ ହଳଦୀ ହିଁ ହଳଦୀ ଦେଖିବାକୁ ମିଳିଛି। ହଳଦୀ ଓ ମାଣ୍ଡିଆ ଚାଷ କରି ଏବେ ସ୍ବାବଲମ୍ବୀ ହେଉଛନ୍ତି ଚାଷୀକୁଳ। ପୂର୍ବରୁ ଏହି ଅଞ୍ଚଳରେ ୫ରୁ ୭ ହେକ୍ଟର ଜମିରେ ହଳଦୀ ଚାଷ କରାଯାଉଥିଲା। କୃଷି ବିଭାଗର ସହାୟତାରେ ବର୍ତ୍ତମାନ ଚଳିତ ବର୍ଷ ପ୍ରାୟ ୨୮ ରୁ୩୫ ହେକ୍ଟର ଜମିରେ ହଳଦୀ ଚାଷ କରାଯାଉଛି। ଯାହା ଦ୍ବାରା ଚଳିତ ବର୍ଷ ଅଧିକ ଲାଭବାନ ହେବେ ବୋଲି ଚାଷୀ ଆଶା ରଖୁଛନ୍ତି। ସ୍ବାଭିମାନ ଅଞ୍ଚଳର ବଡପଦର ପଞ୍ଚାୟତ ସ୍ଥିତ ପଣସଗନ୍ଧି ଗ୍ରାମର ଯୋଗେଶ୍ ଓ ଉତରା ପାଙ୍ଗି ଦୁହେଁ ପିଲା ବେଳର ବନ୍ଧୁ। ସେମାନେ ଦୁହେଁ ପୂର୍ବରୁ ଗଞ୍ଜେଇ ଚାଷ କରି, ଅନେକ ସମୟରେ ମାଫିଆ ମାନଙ୍କ ଠାରୁ ଠକାମୀର ଶିକାର ହେଉଥିଲେ। ହେଲେ ଗତ ପାଞ୍ଚ ବର୍ଷ ଧରି ଦୁହେଁ ଦୁଇ ଏକର ପାହାଡିଆ ଜମିରେ ହଳଦୀ ଚାଷ କରିବା ଆରମ୍ଭ କରିଛନ୍ତି ଓ ଭଲ ଦୁଇ ପଇସା ରୋଜଗାର କରିବା ସହ ଗର୍ବ ଓ ଗୌରବର ସହ ପରିବାର ପ୍ରତିପୋଷଣ କରୁଛନ୍ତି। ନା ରହିଛି ପୋଲିସର ଭୟ ନା ବନ ବିଭାଗର ଡର, ସ୍ବାଭିମାନର ସହ ବଞ୍ଚୁଛନ୍ତି ଏଠାକାର ଲୋକେ। ଏହି ଅଞ୍ଚଳରୁ ଭଲ ହଳଦୀ ଅମଳ ହେଉଥିବାବେଳେ ଏବେ ବିକ୍ରି ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ବିକିବାକୁ ବଜାର ବ୍ୟବସ୍ଥା ନଥିବା ଯୋଗୁଁ ଅତି କମ ଦରରେ ହଳଦୀ ବିକି କ୍ଷତି ମଧ୍ୟ ସହୁଛନ୍ତି । ସେହିଭଳି ଚିତ୍ରକୋଣ୍ଡା ଉଦ୍ୟାନ ବିଭାଗ ତରଫରୁ ହଳଦୀ ବିହନ ଯୋଗାଇ ଦିଆଯାଉଥିବା ବେଳେ ଗଷ ପାଇଁ ସାର କିମ୍ବା ଅନ୍ୟ ସାମଗ୍ରୀ କେବେ ମିଳି ନଥିବା କଥା କହିଛନ୍ତି ଚାଷୀ। ଯଦି ସରକାରଙ୍କ ତରଫରୁ ଅଞ୍ଚଳରେ ବଜାର ବ୍ୟବସ୍ଥା କରାଯାଆନ୍ତା ତାହେଲେ ସମସ୍ତ ଚାଷୀ ସଠିକ ଦରରେ ହଳଦୀ ବିକ୍ରି କରି ଅଧିକ ମୁନାଫା କମାଇ ପାରନ୍ତେ ବୋଲି ଚାଷୀମାନେ ପ୍ରତିକ୍ରିୟା ଦେଇଛନ୍ତି। ତେଣୁ ପ୍ରଶାସନ ଏହି ଅଞ୍ଚଳରେ ହଳଦୀ ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବାକୁ ଦାବି ହେଉଛି ।
