କଟକ, (ସତ୍ୟପାଠବ୍ୟୁରୋ): ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଓ ହସ୍ପିଟାଲରେ ୧.୪୦ କୋଟି ଟଙ୍କାର ବଡ଼ ଆର୍ଥିକ କେଳେଙ୍କାରୀ ମାମଲାରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଡିଡ ଟିମ୍ ଯାଞ୍ଚ କରୁଛି। ଅଡିଟ ଟିମରେ ଅଛନ୍ତି ୨ ଜଣ ଅଧିକାରୀ ଥିବାବେଳେ ଜୋରଦାର ଖୋଳତାଡ଼ ଆରମ୍ଭ କରିଛନ୍ତି । ଏହି ଘଟଣାରେ ପୂର୍ବରୁ ହସ୍ପିଟାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଆଉଟସୋର୍ସିଂ ଡାଟା ଏଣ୍ଟ୍ରି ଅପରେଟର ଦିନେଶ କୁମାର ରାଉତଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି। ହସ୍ପିଟାଲର ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଟିଏ , ଡିଏ, ଏରିୟର ଏବଂ ଛୁଟିଦିନର ଦରମା ବାବଦକୁ ଆସିଥିବା ସରକାରୀ ପାଣ୍ଠିକୁ ଜାଲିଆତି କରି ହଡ଼ପ କରାଯାଇଛି । ଏକ ସରକାରୀ ଅଡିଟ୍ ସମୟରେ ପ୍ରାୟ ୨୦୭ଟି ଦରମା ବିଲ୍‌ରେ ହେରଫେର୍ କରାଯାଇଥିବା ଧରାପଡ଼ିଥିଲା । ଏହାପରେ ଏସସିବି ଅଧୀକ୍ଷକ ମଙ୍ଗଳାବାଗ ଥାନାରେ ଏଫ୍‌ଆଇଆର୍ ଦେଇଥିଲେ । ୨୦୦ରୁ ଅଧିକ କର୍ମଚାରୀଙ୍କ ସାଲେରୀ ଆକାଉଣ୍ଟରେ ନିଜ ଆକାଉଣ୍ଟକୁ ଅଭିଯୁକ୍ତ ଦିନେଶ ଯୋଡ଼ି ବ୍ୟବହାର କରିଥିବା ଅଭିଯୋଗ ହୋଇଛି।