ଗୁଣୁପୁର, (ସତ୍ୟପାଠବ୍ୟୁରୋ): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ବହୁ ପୁରାତନ ଉମା ରାମ ଲିଙ୍ଗେଶ୍ୱର ଶୈବପୀଠରେ କଳାକନା ବୁଲାଇଲେ ଲୁଟେରା। ମନ୍ଦିରର ତାଲା ଭାଙ୍ଗି ସିସି କ୍ୟାମେରା ହାର୍ଡଡିସ୍କ ସହ ଠାକୁରଙ୍କ ଅଳଙ୍କାର, ରୁପା ନାଗ, ରୁପା ମୁକୁଟ, ଦାନ ବାକ୍ସରେ ଥିବା ଟଙ୍କା , ସୁନା ରୁପା ଅଳଙ୍କାର ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ। ମନ୍ଦିର ପରିସର ମଧ୍ୟରେ ଥିବା ଲଳିତା ଦେବୀ ମା’ଙ୍କ ମନ୍ଦିର ଭିତରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାତିର ଅନ୍ଧାରର ସୁଯୋଗ ନେଇ ଶୈବପୀଠରେ ପଶି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ସାମଗ୍ରୀ ଲୁଟ ହୋଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରଥମେ ମନ୍ଦିରର ତାଲା ଭାଙ୍ଗିଥିଲେ। ଏହାପରେ ମନ୍ଦିର ଭିତରକୁ ପଶି ସୁନା ଅଳଙ୍କାର ଓ ରୁପା ସାମଗ୍ରୀ ସମେତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡିକୁ ମଧ୍ୟ ତାଡ଼ି ଦେଇଛନ୍ତି ଲୁଟେରା। ଏହା ସହ ଏକ ଆଲମାରୀ ତାଡ଼ି ସେଥିରେ ଥିବା ସାମଗ୍ରୀ ମଧ୍ୟ ଚୋରି କରିଥିବା ଜଣାପଡ଼ିଛି। ଆଜି ସକାଳୁ ମନ୍ଦିର ପୂଜକ ପୂଜା କରିବାକୁ ଆସିବା ସମୟରେ ଘଟଣା ସାମ୍ନାକୁ ଆସିଥିଲା। ମନ୍ଦିରର ତାଲା ଭଙ୍ଗା ଥିବା ସହ ଭିତରେ ଜିନିଷପତ୍ର ଏପଟସେପଟ ହୋଇଥିବା ଦେଖି ସେ ତୁରନ୍ତ ୧୧୨ ନମ୍ବରକୁ ଯୋଗାଯୋଗ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଗୁଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଚୋରି ହୋଇଥିବା ସାମଗ୍ରୀର ପ୍ରକୃତ ମୂଲ୍ୟ କେତେ ଏବଂ ଏହି ଚୋରି ପଛରେ କିଏ ଅଛି, ସେନେଇ ତଦନ୍ତ ଚାଲିଛି। ତେବେ ଗୁଣପୁରରେ ପୁଣି ଲୁଟେରାଙ୍କ ସକ୍ରିୟତା ଏବଂ ଏଥର ମନ୍ଦିରକୁ ଟାର୍ଗେଟ କରାଯିବା ଘଟଣା ସାଧାରଣରେ ଚିନ୍ତା ବଢ଼ାଇଛି। ଲୁଟେରାଙ୍କୁ ଧରିବା ସହ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରିବା ପୋଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ।