ଜୟପୁର, (ସତ୍ୟପାଠବ୍ୟୁରୋ): ଆଜିକାଲି ବ୍ୟସ୍ତବହୁଳ ଓ ସ୍ବାର୍ଥପର ଦୂନିଆରେ ଟଙ୍କାଟେ ବି କେହି କାହାକୁ ଦିଅନ୍ତି ନାହିଁ। ମାଗଣା ତ ଦୂରର କଥା, ଟଙ୍କା ଦେଲେ ବି ଭଲରେ ପିଲାଙ୍କୁ ପାଠ ପଢାଉ ନାହାନ୍ତି। ପିଲାଙ୍କୁ ପାଠ ପଢାଇବା ପରିବର୍ତ୍ତେ ଅନ୍ୟ କାମରେ ଅଧିକ ଧ୍ୟାନ ଦେଉଛନ୍ତି। ହେଲେ ଏମିତି ଜଣେ ଶିକ୍ଷକ ଅଛନ୍ତି ସେ କେବଳ ଶିକ୍ଷା ଦାନକୁ ହିଁ ଭଲ ପାଇଛନ୍ତି, ତା ପାଇଁ ପାରିଶ୍ରମିକ କିଛି ନୁହେଁ। ତାଙ୍କ ପାଠ ପଢା କୌଶଳ ବି ଅତି ଉଚ୍ଚକୋଟିର ଥିବାବେଳେ ପିଲାମାନେ ବି ତାଙ୍କୁ ବେଶ ଭଲ ପାଆନ୍ତି। ସେଥିପାଇଁ ସେ ଅବସର ପରେ ବି ପିଲାଙ୍କୁ ପାଠପଢ଼ାଇବା ଛାଡ଼ି ନାହାନ୍ତି, ତାହା ପୁଣି ମାଗଣାରେ। ଗତ ଦୁଇ ବର୍ଷ ହେଲା ବିନା କୌଣସି ପାରିଶ୍ରମିକରେ ବିଦ୍ୟାଳୟକୁ ଆସି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇ ଆସୁଛନ୍ତି ଜୟପୁର ସହରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କିରଣ ତ୍ରିପାଠୀ। ବିନା ପାରିଶ୍ରମିକରେ ଶିକ୍ଷାଦାନ କରୁଛନ୍ତି କିରଣ ସାର। ଚାକିରିରୁ ଅବସର ନେବା ପରେ ବି ଛାଡ଼ି ନାହାନ୍ତି ଶିକ୍ଷକତା। ଦରମା କି ପାରିଶ୍ରମିକ ନାହିଁ, ତଥାପି ଶିକ୍ଷାଦାନରେ ସେ କେବେ ତିଳେ ବି ଅବହେଳା କରିନାହାନ୍ତି। ବୟସ ୬୨ ଛୁଇଁଲାଣି, ଚାକିରିରୁ ଅବସର ନେଇସାରିଲେଣି । କିନ୍ତୁ ଶିକ୍ଷକତାରୁ ଅବସର ନେଇନାହାନ୍ତି । ତାଙ୍କ ଜୀବନ କାହାଣୀ ମଧ୍ୟ ସଂଘର୍ଷରେ ଭରା। ଶିକ୍ଷକ ଜୀବନର ଆରମ୍ଭ ସେ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟରୁ କରିଥିଲେ। ସେହି ସମୟରେ ଦିନକୁ ମାତ୍ର ୩୨ ଟଙ୍କା ଏବଂ ପରେ ମାସକୁ ୪ ହଜାର ଟଙ୍କା ପାରିଶ୍ରମିକ ମିଳୁଥିଲା। ତାହା ବି ପ୍ରତି ମାସରେ ନିୟମିତ ନୁହେଁ। ଏଭଳି ଅନେକ ଅଭାବ ଓ ସଂଘର୍ଷ ଭିତରେ କଟିଯାଇଛି ତାଙ୍କ ଶିକ୍ଷକ ଜୀବନ । ସମୟ ବିତିଲା, ବୟସ ବଢ଼ିଲା ଏବଂ ଶେଷରେ ଅବସର ମଧ୍ୟ ନେଲେ। କିନ୍ତୁ ପିଲାଙ୍କ ସହ ଗଢ଼ିଉଠିଥିବା ସମ୍ପର୍କକୁ ଭୁଲିପାରିଲେ ନାହିଁ । ଆଉ ସେହି ସମ୍ପର୍କ ହିଁ ତାଙ୍କୁ ଆଜି ବି ବିଦ୍ୟାଳୟକୁ ଟାଣି ଆଣୁଛି। ତ୍ରିପାଠୀ ସାର୍‌ ସ୍କୁଲରେ ପହଞ୍ଚିବା ମାତ୍ରେ ପିଲାମାନେ ‘ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ’ ଶ୍ଳୋକ ପାଠ କରି ତାଙ୍କୁ ସ୍ୱାଗତ କରନ୍ତି । ଏହାପରେ ଆରମ୍ଭ ହୁଏ ପାଠପଢ଼ା। ଷଷ୍ଠରୁ ଦଶମ ଶ୍ରେଣୀର ପିଲାମାନେ ତାଙ୍କ କ୍ଲାସ୍‌କୁ ଆସିବା ପାଇଁ ଅପେକ୍ଷା କରି ରହନ୍ତି । କେବଳ ଛାତ୍ରଛାତ୍ରୀ ନୁହନ୍ତି, ଅନ୍ୟ ଶିକ୍ଷକମାନେ ମଧ୍ୟ ତାଙ୍କ ପଢ଼ାଇବା ଶୈଳୀକୁ ଅନୁଧ୍ୟାନ କରନ୍ତି। ନିଜ ଅନୁଭବ ଓ ଜ୍ଞାନକୁ ପିଲାଙ୍କ ଭବିଷ୍ୟତ ପାଇଁ ଉତ୍ସର୍ଗ କରି ଚାଲିଛନ୍ତି ତପନ କିରଣ ତ୍ରିପାଠୀ। ତାଙ୍କ ପାଇଁ ଶିକ୍ଷକତା କେବଳ ଏକ ଚାକିରି ନୁହେଁ, ବରଂ ଏକ ନିଷ୍ଠା ଓ ଜୀବନର ଲକ୍ଷ୍ୟ ।