ଏଥେନ୍ସ, (ସତ୍ୟପାଠବ୍ୟୁରୋ): ଗ୍ରୀସ୍‌ର ଏଥେନ୍ସ ବାହାରେ ତାନାଗ୍ରା ଏୟାର ବେସ୍‌ରେ ଏକ ଏୟାର ସୋ’ ସମୟରେ ଏକ ଗ୍ରିକ୍ ଲଢ଼ୁଆ ବିମାନ ଏଫ-4 ଫାଣ୍ଟମ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଦୁଇଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି। ଏୟାର ସୋ’ ସମୟରେ ଲଢ଼ୁଆ ବିମାନଟି ଏରୋବାଟିକ୍ସ ପ୍ରଦର୍ଶନ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡୁଛି ଯେ ଉଭୟ ପାଇଲଟ୍ ବିମାନରୁ ବାହାରକୁ ବାହାରି ନାହାଁନ୍ତି। ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଜେଟ୍ ଭୂମିରେ ଆଘାତ କରିବା ପରେ ନିଆଁର ଏକ ବଡ଼ ପାହାଡ଼ ଉଠିଥିବା ଦେଖାଯାଉଛି। ବିମାନବନ୍ଦରରୁ ପ୍ରାୟ୨ କିଲୋମିଟର ଦୂରରେ ଫାଣ୍ଟମ୍ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଆଖପାଖ ଅଞ୍ଚଳର କୌଣସି ବାସିନ୍ଦା କିମ୍ବା ପଥଚାରୀଙ୍କ ଆହତ ହେବାର କୌଣସି ରିପୋର୍ଟ ନାହିଁ।
ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଏଗାରଟି ଅଗ୍ନିଶମ ବିମାନ ଏବଂ ହେଲିକପ୍ଟର ନିୟୋଜିତ ହୋଇଥିଲେ। ଦୁର୍ଘଟଣା ପରେ ଏୟାର ଶୋ ବାତିଲ କରାଯାଇଥିଲା। ଗ୍ରୀକ୍ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିସୋଟାକିସ୍ କହିଛନ୍ତି, ସର୍ବତ୍ର ଶୋକର ପରିବେଶ ରହିଛି ଏବଂ ଆମେ ହରାଇଥିବା ଦୁଇ ପାଇଲଟଙ୍କ ପରିବାର ସହିତ ଆମର ସମବେଦନା।