ସମ୍ବଲପୁର, (ସତ୍ୟପାଠବ୍ୟୁରୋ): ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ଜହ୍ଲାଦ ସ୍ବାମୀ। ମୃତା ମହିଳା ହେଲେ ହୀନା ବେଗମ (୪୦)। ଗତକାଲି ରାତିରେ ସମ୍ବଲପୁର ସେନ ପାର୍କ ନିକଟରେ ସ୍ତ୍ରୀକୁ ମାରଣାସ୍ତ୍ର ହାଣି ଓ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ ସୟଦ ସମସଦ ଅଲ୍ଲୀ (୪୫)l ସମ୍ବଲପୁର ଟାଉନ ଥାନା ରେ କେସ ନଂ- ୨୮୧, ତାରିଖ ୦୬/୦୯/୨୦୨୬, ଭାରତୀୟ ନ୍ୟାୟ ସଂହିତା ଧାରା- ୧୦୩(୧) ରେ ମାମଲା ରୁଜୁ ହୋଇଛି l ସୂଚନାଯୋଗ୍ୟ ଯେ, ସମ୍ବଲପୁର ସହରର ଠେଲାକୋ ପଡାର ହିନା ବେଗମ ପ୍ରେମ କରି କୁମ୍ଭାରପଡାର ସୟଦ ସମସାଦ ଅଲ୍ଲୀକୁ ବିବାହ କରିଥିଲେ। ହେଲେ କିଛି ଦିନ ହେଲା ଅଭିଯୁକ୍ତ ସ୍ୱାମୀ ସୟଦ ସ୍ତ୍ରୀ ହିନା ବେଗମଙ୍କର ଅନ୍ୟ ଜଣଙ୍କ ସହ ପରକୀୟା ପ୍ରୀତି ଅଛି ବୋଲି ସନ୍ଦେହ କରି ଆସୁଥିଲା l ତାକୁ ନେଇ ସେମାନଙ୍କ ମଧ୍ୟରେ ମଝି ମଝିରେ ଗଣ୍ଡଗୋଳ ମଧ୍ୟ ହେଉଥିଲା l ଗତକାଲି ରାତିରେ ସେନ ପାର୍କ ନିକଟ ଏକ ନିଛାଟିଆ ସ୍ଥାନକୁ ହତ୍ୟା ଉଦ୍ଦେଶ୍ୟରେ ନେଇ ସ୍ତ୍ରୀ ହୀନାକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଏକ ବଡ ପଥରରେ ଛେଚି ବିଭତ୍ସ ଭାବରେ ହତ୍ୟା କରିଥିଲା l ହତ୍ୟା ପରେ ଅପରାଧରେ ବ୍ୟବହୃତ ମାରଣାସ୍ତ୍ର ଓ ଅନ୍ୟ ସାମଗ୍ରୀ ଘଟଣାସ୍ଥଳରେ ଛାଡି ଘରକୁ ଫେରି ଯାଇଥିଲା l ପରେ ଘଟଣା ବିଷୟରେ ଖବର ପାଇଲା ପରେ ସଦର ଏସଡ଼ିପିଓ ତୋଫାନ ବାଗ, ଟାଉନ ଥାନା ଅଧିକାରୀ ସୁବ୍ରତ ମେହେର ଓ ଧନୁପାଲି ଥାନାଧିକାରୀ ଆଦିତ୍ୟ ମହାକୁଡ଼ ଘଟଣା ସ୍ଥଳରେ ପହଂଚିଥିଲେ l ପରେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଥିବା କଥା ସ୍ୱୀକାର କରିଛି l ଅଭିଯୁକ୍ତକୁ ଅଟକ ରଖାଯିବା ସହ ଆଇନ ଅନୁଯାୟୀ ଅଧିକ ତଦନ୍ତ ଚାଲିଛି ବୋଲି ଏକ ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି l