ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ଦେଶର ବିଭିନ୍ନ ହାଇକୋର୍ଟରେ ଆଠ ଜଣ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟ କଲେଜିୟମ ସେମାନଙ୍କୁ ସୁପାରିସ କରିବାର କିଛି ଦିନ ପରେ ଏହି ନିଯୁକ୍ତି ଦିଆଯାଇଛି। ଏନେଇ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ବର୍ତ୍ତମାନର ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାଲୁରୀ କାମେଶ୍ୱର ରାଓଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି। ସେହିପରି ବମ୍ବେ ହାଇକୋର୍ଟର ବିଚାରପତି ରବୀନ୍ଦ୍ର ଭି. ଘୁଗେ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ। ସେହିପରି ଛତିଶଗଡ଼ ହାଇକୋର୍ଟର ବିଚାରପତି ସଞ୍ଜୟ କୁମାର ଅଗ୍ରୱାଲଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି, ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠିଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ବିଚାରପତି ଅଶ୍ୱନୀ କୁମାର ମିଶ୍ରଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି, ଓଡିଶା ହାଇକୋର୍ଟର ବିଚାରପତି କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି, ଗୁଜରାଟ ହାଇକୋର୍ଟର ବିଚାରପତି ଅଳ୍ପେଶ ଯଶୋବନ୍ତ କୋଗ୍ଜେଙ୍କୁ ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜସ୍ଥାନ ହାଇକୋର୍ଟର ବିଚାରପତି ପୁଷ୍ପେନ୍ଦ୍ର ସିଂହ ଭାଟିଙ୍କୁ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି।