ଭୁବନେଶ୍ୱର, ୦୭/୦୯/୨୦୨୬: ଏମଏମଡିଆର ସଂଶୋଧନ ଆକ୍ଟକୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ଏହାକୁ ବିରୋଧ କରିଆସୁଥିବା ବିଜୁ ଜନତା ଦଳ ଆନ୍ଦୋଳନାତ୍ମକ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପରି ନେଇଛି । ଆସନ୍ତା ୯ ତାରିଖରେ ବିଜେଡି ତରଫରୁ ଲୋକଭବନ ଆଗରେ ଗଣଧାରଣା ଦିଆଯିବା ସହିତ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ MMDR ସଂଶୋଧନ ଆକ୍ଟର ପ୍ରତ୍ୟାହାର ଦାବିରେ ଏକ ସ୍ମାରକପତ୍ର ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀ ଅଶୋକ ପଣ୍ଡା ଦଳର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ସେମାନେ କହିଥିଲେ, ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଷ୍ପରି ନିଆଯାଇଛି ଯେ, ଏମଏମଡିଆର ସଂଶୋଧନ ଆକ୍ଟକୁ ପ୍ରତ୍ୟାହାର ଦାବିରେ ୯ ସେପ୍ଟେମ୍ବରରେ ଧାରଣା ଦିଆଯିବା ସହିତ ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବ। ଏହା ସହିତ MMDR ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରାଯିବ ଓ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିଭିନ୍ନ ଆନ୍ଦୋଳନାମୂଳ କାର୍ଯ୍ୟକ୍ରମ ହାତକୁ ନିଆଯିବ।
