ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ): ଆରାବଳୀ ପାହାଡ଼ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦେଲେ ସିଜେଆଇ। ଆରାବଳୀ ପାହାଡ଼ର ସଂଜ୍ଞା ନିରୂପଣ ନେଇ ଗଠିତ ହାଇ ପାୱାର୍ଡ କମିଟି ଉପରେ ଖପ୍ପା ସିଜେଆଇ ସୂର୍ଯ୍ୟକାନ୍ତ । ସମୟସୀମା ବୃଦ୍ଧି ଆବେଦନକୁ ସୁପ୍ରିମକୋର୍ଟଙ୍କ ସିଜେଆଇ ସୂର୍ଯ୍ୟକାନ୍ତ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ସହ ନିରାଶା ପ୍ରକାଶ କରିଛନ୍ତି । କମିଟି ଆଗାମୀ ୨୦୨୭ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି ପାଇଁ ନିବେଦନ କରିଥିଲା, ଯାହାକୁ ଖାରଜ କରି ସିଜେଆଇ କହିଛନ୍ତି ଯେ ଏହା ତ ସିଧାସଳଖ ମୋ ଅବସର ପରର ତାରିଖ ମାଗିବା ଭଳି କଥା। ଯଦି କମିଟି କାର୍ଯ୍ୟ କରିବାକୁ ସକ୍ଷମ ନୁହେଁ, ତେବେ କୋର୍ଟ ଏକ ନୂଆ କମିଟି ଗଠନ କରିବେ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି । ସୋମବାର ଏହି ମାମଲାର ଶୁଣାଣି ସମୟରେ ସିଜେଆଇ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କ ବେଞ୍ଚ କମିଟିକୁ ଦିନରାତି କାମ କରି ଦୁଇ ମାସ ଅର୍ଥାତ ୨୦୨୬ ନଭେମ୍ବର ୩୦ ସୁଦ୍ଧା ଅନ୍ତିମ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ପ୍ୟାନେଲର ରିପୋର୍ଟ ଅଗଷ୍ଟ ୩୧ ସୁଦ୍ଧା ଦାଖଲ ହେବାର ଥିଲା। ଅରାବଳୀ ପାହାଡ଼ ଏବଂ ପର୍ବତମାଳାର ସଂଜ୍ଞା ନିରୂପଣ ଏବଂ ସୁରକ୍ଷା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ବିଶେଷଜ୍ଞ ପ୍ୟାନେଲ ଗଠନ କରାଯାଇଥିଲା। ପ୍ରକାଶଯୋଗ୍ୟ ଯେ, ସିଜେଆଇ ସୂର୍ଯ୍ୟକାନ୍ତ ୨୦୨୫ ନଭେମ୍ବର ୨୪ରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨୦୨୭ ଫେବୃଆରୀ ୯ରେ ଅବସର ଗ୍ରହଣ କରିବେ।