ଆବୁଧାବି/ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଆବୁଧାବିରେ ପହଞ୍ଚିଛନ୍ତି। ଏହା ସହିତ ୟୁଏଇରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ପ୍ରୋତ୍ସାହନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆବୁଧାବିରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବ୍ୟବସାୟିକ ଏବଂ ନିବେଶକ ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହାସହ ସେ ୟୁଏଇରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା କରିଛନ୍ତି। ୟୁଏଇରେ ରହୁଥିବା ଓଡ଼ିଆ ଶ୍ରମିକ ଓ ପ୍ରବାସୀମାନଙ୍କୁ ସରକାରୀ ସହାୟତା ଏବଂ ସେମାନଙ୍କ ଜୀବନଧାରଣର ସହଜତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏବେ ଶିଳ୍ପ ବିକାଶର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି। ଆମେ କେବଳ ନିବେଶ ଆଣିବାକୁ ଏଠାକୁ ଆସିନାହୁଁ, ବରଂ ବିଶ୍ୱାସ, ପ୍ରଯୁକ୍ତିବିଦ୍ୟା ଏବଂ ନିଯୁକ୍ତି ସୃଷ୍ଟି ଆଧାରରେ ଏକ ଦୀର୍ଘକାଳୀନ ସହଭାଗିତା ଗଢ଼ିବାକୁ ଚାହୁଁଛୁ। ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ନିବେଶ ପ୍ରସ୍ତାବଗୁଡ଼ିକୁ ବାସ୍ତବ ପ୍ରକଳ୍ପରେ ରୂପାନ୍ତରିତ କରି ଓଡ଼ିଶାରେ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି କରିବା।
ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ୟୁଏଇ ସହ ଓଡ଼ିଶାର ଅର୍ଥନୈତିକ ସମ୍ପର୍କକୁ ଅଧିକ ଦୃଢ଼ କରିବା ଏବଂ ନିର୍ମାଣ, ଭିତ୍ତିଭୂମି, ଶକ୍ତି ଓ ନୂତନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ସହଭାଗିତା ସ୍ଥାପନ କରିବା।ସେପ୍ଟେମ୍ବର ୯ ରୁ ୧୧ ପର୍ଯ୍ୟନ୍ତ ଏହି ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ, ସେପ୍ଟେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାରତ ପ୍ରତ୍ୟାବର୍ତ୍ତନ କରିବେ। ବୁଧବାର ଓଡ଼ିଶା ପ୍ରତିନିଧି ଦଳର ପ୍ରଥମ ପୂର୍ଣ୍ଣାଙ୍ଗ ବ୍ୟବସାୟିକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ ଏବଂ ଏହାର ବିଭିନ୍ନ ବ୍ୟବସାୟିକ ଶାଖା ସହ ଆଲୋଚନା ହେବ।ୟୁଏଇ ନିବେଶ ମନ୍ତ୍ରୀ ଏବଂ ବରିଷ୍ଠ ପୁଞ୍ଜିନିବେଶକାରୀଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମ ରହିଛି।ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପର ସଦସ୍ୟମାନଙ୍କ ସହ ଆଲୋଚନା ହେବ। ପେଟ୍ରୋକେମିକାଲ୍ସ ଓ କେମିକାଲ୍ସ ସେକ୍ଟର ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାଇଥିବା ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶିଳ୍ପ ବିଭାଗ ତଥା ଇପିକଲ୍ (IPICOL) ର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଆବୁଧାବିରେ ପହଞ୍ଚିବା ପରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ୟୁଏଇରେ ଥିବା ଭାରତୀୟ ଦୂତାବାସର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।