ପୁରୀ (ସତ୍ୟପାଠବ୍ୟୁରୋ): ପୁରୀ ସହରରେ ବିଭିନ୍ନ ଖଜା ଗୋଦାମ ଉପରେ ପୋଲିସ ଚଢ଼ାଉ କରିଛି। ସିଟି ଡିଏସପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ରେଡ୍। ଟାଉନ ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର ଏବଂ ନକଲି ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ଏହାପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।
ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ଏବଂ ଆଖପାଖ ଅଞ୍ଚଳରେ ଥିବା ଅନେକ ଖଜା ଗୋଦାମ ଏବଂ କାରଖାନାରେ ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଉଛି। ଭେଜାଲ କିମ୍ବା ନିମ୍ନମାନର ଖଜା ଜବତ କରାଯିବା ସହ ଦୋଷୀ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଟି ଡିଏସପି ସୂଚନା ଦେଇଛନ୍ତି ।
