କୋରାପୁଟ, (ସତ୍ୟପାଠବ୍ୟୁରୋ): ମୃତ୍ୟୁ ଏମିତି ବି ଆସେ। ରାସ୍ତା କଡ଼ରେ ବାଇକ ରଖି ଗପସପ କରୁଥିବାବେଳେ ହଠାତ ଏକ ସ୍କର୍ପିଓ ଆସି ମାଡ଼ିଗଲା। କିଛି ଭାବିବା ଆଗରୁ ଘଟଣାସ୍ଥଳରେ ହିଁ ଯୁବକଙ୍କ ଜୀବନ ଚାଲିଗଲା। ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ଥ ଟିମାଝୋଲା ଗାଁ ନିକଟରେ। ମୃତକ ହେଲେ ଟିମାଝୋଲା ଗାଁର ମାଝୀ ହିକକା। ଯାହାକୁ ନେଇ ଘଟଣାସ୍ଥଳରେ ବହୁ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ରାୟଗଡା-କୋରାପୁଟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଅବରୋଧ କରିଥିଲେ ଗ୍ରାମବାସୀ । ସୂଚନା ଅନୁସାରେ, ଟିମାଝୋଲା ଗାଁ ଜାତୀୟ ରାଜପଥ ୩୨୬ ଉପରେ ମାଝୀ ତାଙ୍କ ବାଇକ୍‌କୁ ରାସ୍ତା ପାର୍ଶ୍ୱରେ ସାଇଡ୍‌ କରି ଠିଆ ହୋଇ କଥାବାର୍ତ୍ତା କରୁଥିବା ସମୟରେ ଏକ ସ୍କର୍ପିଓ ଗାଡ଼ି ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ । ଘଟଣା ପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଗ୍ରାମବାସୀ ଜାତୀୟ ରାଜପଥ ୩୨୬କୁ ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ରାୟଗଡ଼ା ଓ କୋରାପୁଟକୁ ସଂଯୋଗ କରୁଥିବା ଏହି ରାଜପଥର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ଦୀର୍ଘ ସମୟ ଧରି ଯାତାୟାତ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛି । ଏପରିକି ଉତ୍ତ୍ୟକ୍ତ ଲୋକେ ଲକ୍ଷ୍ମୀପୁର ଥାନା ଘେରାଓ କରିଥିଲେ।