ଭୁବନେଶ୍ଵର, (ସତ୍ୟପାଠ ବ୍ୟୁରୋ) : ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏବେ ସୁଦ୍ଧା ଜିଲ୍ଲାରେ ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୬ ଶହ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି। ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ହୋଇଛି । ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ଏଲିଶା ଟେଷ୍ଟ ନ ହେବା ଯାଏଁ ସ୍କ୍ରବ୍ ଟାଇଫସ କନଫର୍ମ ହୋଇ ନଥାଏ । ଜାନୁଆରୀରୁ ଏଯାଏଁ କୌଣସି କନଫରମେସନ ହୋଇ ନାହିଁ । ସୁନ୍ଦରଗଡ଼ର ଯେଉଁ କେସ୍ ଆସିଛି ତାହା ପୁରୁଣା ହୋଇପାରେ । ଆମେ ତାକୁ ଆଉ ଥରେ ତର୍ଜମା କରିବୁ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ଟିମ୍ ସୁନ୍ଦରଗଡ଼ ଓ ପାଲଲହଡା ଯାଇଛନ୍ତି। ଆମେ ସ୍ଥିତି ଉପରେ ନଜର ରଖିଛୁ । ମୁଁ ବ୍ୟକ୍ତିଗତ ଭାବରେ ମଧ୍ୟ ନଜର ରଖିଛି । ସେହିପରି ରାୟଗଡ଼ା ଡାଇରିଆ ପ୍ରସଙ୍ଗରେ ସେ କହିଛନ୍ତି ଯେ, ରାୟଗଡ଼ା ଓ ଏହାର ଆଖପାଖ ଜିଲ୍ଲାରେ ଡାଇରିଆ ସମ୍ପର୍କିତ ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ମନିଟରିଂ କରୁଛି । ଡାଇରିଆ ଭଳି ସମସ୍ୟାରେ ଦୂଷିତ ପାଣି ଓ ଖାଦ୍ୟ ଏକ ବଡ଼ କାରଣ ହୋଇପାରେ । ତେଣୁ ବିଭାଗ ପକ୍ଷରୁ ଶୁଦ୍ଧ ପାନୀୟ ଜଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖାଯାଇଛି । କୌଣସି ଅଞ୍ଚଳରେ ଖାଦ୍ୟଜନିତ ସମସ୍ୟାର ସନ୍ଦେହ ହେଲେ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଉଛି । ସୂଚନା ଥାଉକି, ସ୍କ୍ରବ୍ ଟାଇଫସ୍ ଏକ ପ୍ରକାର ସଂକ୍ରାମକ ରୋଗ । ଚିଗର୍ ନାମକ ଅତି କ୍ଷୁଦ୍ର ମାଇଟ୍ର କାମୁଡ଼ା ଦ୍ୱାରା ଏହାର ସଂକ୍ରମଣ ହୋଇଥାଏ । ଜ୍ୱର କିମ୍ବା ଅନ୍ୟ ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଇବାକୁ କୁହାଯାଇଛି । ତେବେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ।
