ଭୁବନେଶ୍ବର (ସତ୍ୟପାଠବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ୬ ଘଣ୍ଟାରେ ୧୨କିମି ବେଗରେ ଗତି କରୁଛି। ଏହା ଆଜି ରାତି ସୁଦ୍ଧା ଆନ୍ଧ୍ରପ୍ରଦେଶ କଳିଙ୍ଗପଟ୍ଟନମ ନିକଟରେ ଅତିକ୍ରମ କରିପାରେ ଉପକୂଳ। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତଟି ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଛି । ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ପ୍ରାୟ ୭୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, ଓଡ଼ିଶାର ଗୋପାଳପୁରଠାରୁ ୧୫୦ କିଲୋମିଟର ଦକ୍ଷିଣ, ପୁରୀଠାରୁ ୨୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମଠାରୁ ୧୫୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଅବସ୍ଥିତ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ଏବଂ ଏକ ଗଭୀର ଅବପାତ ରୂପରେ ଆଜି ରାତି ସୁଦ୍ଧା କଳିଙ୍ଗପଟ୍ଟନମ ନିକଟବର୍ତ୍ତୀ ବିଶାଖାପଟ୍ଟନମ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ – ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ସେମିଳିଗୁଡ଼ାରେ ସର୍ବାଧିକ ୨୩୦.୨ ମିମି ବର୍ଷା ରେକର୍ଡ କରାଯାଇଛି।