ଭୁବନେଶ୍ବର, ( ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ସର୍ବାଧିକ ୧୩ ହଜାର ୮୪୪ ଚାଲାଣ କଟିଥିବା ବେଳେ ୧୪୪ ଟି ଗାଡ଼ି ଜବତ ହୋଇଛି । ଦ୍ୱିତୀୟରେ ରହିଛି କଟକ ଜିଲ୍ଲା । କଟକରେ ୧୦ ହଜାର ୮୪୪ ଚାଲାଣ କଟିଥିବା ବେଳେ ୨୯୧ ଗାଡ଼ି ଜବତ ହୋଇଛି । ଅଢ଼େଇ ବର୍ଷରେ ପରିବହନ ଆଇନ ଉଲ୍ଲଂଘନ କ୍ଷେତ୍ରରେ ଆଦାୟ ହୋଇଛି ୧୫ କୋଟି ୧୬ ଲକ୍ଷ ୫୩ ହଜାର ୭୩୬ ଟଙ୍କା। ଜବତ ହୋଇଛି ୧,୮୧୨ଟି ଗାଡ଼ି। ୪ ଲକ୍ଷ ୧୫ ହଜାର ୧୫୯ ଜଣ ଆଇନ ଉଲ୍ଲଂଘନ କରିଛନ୍ତି । ପ୍ରତାପ ଦେବଙ୍କ ପ୍ରଶ୍ନରେ ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ପରିବହନ ମନ୍ତ୍ରୀ । ଅନ୍ୟପଟେ ରାଜ୍ୟରେ ବେଆଇନ ବାଲି ଖନନ ଏବଂ ଚୋରା ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଖଣି ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୨୬ ଜାନୁଆରୀ ୧ ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ବାଲିଘାଟଗୁଡ଼ିକ ଉପରେ ଚଢ଼ଉ କରାଯାଇ ବ୍ୟାପକ ଜରିମାନା ଆଦାୟ ସହ ଗାଡ଼ି ଜବତ କରାଯାଇଛି । ବିଧାୟକ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହି ତଥ୍ୟ ପ୍ରଦାନ କରିଛନ୍ତି । ଗୃହରେ ତଥ୍ୟ ରଖି ପରିବହନ ମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ବାଲି କାରବାର ବିରୋଧରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଏହି ଜିଲ୍ଲାରୁ ସର୍ବାଧିକ ୧୧ କୋଟି ୧୯ ଲକ୍ଷ ୧୫ ହଜାର ୬୦୧ ଟଙ୍କା ଜରିମାନା ଆଦାୟ କରାଯାଇଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ମଧ୍ୟରୁ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୯୪ଟି ବାଲି ଉତ୍ସ ଉପରେ ଚଢ଼ଉ କରାଯାଇଛି । ଏହି ଚଢ଼ଉ ସମୟରେ ୧୧ଟି ମାମଲା ରୁଜୁ ହେବା ସହ ୨ କୋଟି ୩୭ ଲକ୍ଷ ୮୭ ହଜାର ୬୫୮ ଟଙ୍କା ଜବତ କରାଯାଇଛି। ସେହିପରି ବାଲେଶ୍ୱର ଜିଲ୍ଲାରେ ୨୯୧ଟି ବାଲି ଉତ୍ସ ଉପରେ ଚଢ଼ଉ କରାଯାଇ ସର୍ବାଧିକ ୨୩୪ଟି ମାମଲା ରୁଜୁ ହୋଇଛି। ଏଠାରୁ ବିଭାଗ ପକ୍ଷରୁ ୧ କୋଟି ୫୫ ଲକ୍ଷ ୨୫ ହଜାର ୨୬୪ ଟଙ୍କା ଜବତ କରାଯାଇଛି। ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ୧୮୦ଟି ବାଲି ଉତ୍ସ ଉପରେ ଚଢ଼ଉ କରାଯାଇ ୧ କୋଟି ୮୫ ଲକ୍ଷ ୫୮ ହଜାର ୮୫୩ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ବ୍ୟତୀତ ଦେବଗଡ଼ ଜିଲ୍ଲାରୁ ୩୩ଟି ଗାଡ଼ିରୁ ଜରିମାନା ଆଦାୟ କରାଯାଇଥିବା ବେଳେ ମୟୂରଭଞ୍ଜରେ ୨ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ସେହିପରି ବେଆଇନ ବାଲି ପରିବହନ ଅଭିଯୋଗରେ ଅନୁଗୁଳରୁ ୭୨ଟି ଏବଂ ସୋନପୁର ଜିଲ୍ଲାରୁ ୨୭ଟି ଗାଡ଼ି ଜବତ କରାଯାଇଛି।
