ସମ୍ବଲପୁର (ସତ୍ୟପାଠବ୍ୟୁରୋ) : ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ସ୍ଥାପନକୁ ନେଇ ଆଶା ରଖିଥିବା ଓଡ଼ିଶାବାସୀଙ୍କୁ ଝଟକା । ସମ୍ବଲପୁରରେ ଏମ୍ସ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିବା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସକାରାତ୍ମକ ଉତ୍ତର ମିଳିନଥିବା ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମ୍ବଲପୁରରେ ନୂଆ ଏମ୍ସ ସ୍ଥାପନ ନେଇ କେନ୍ଦ୍ରର ପ୍ରସ୍ତାବ ଓ ବଜେଟ୍ରେ ଏଭଳି ବ୍ୟବସ୍ଥା ନଥିବା ଜଣାଇଛନ୍ତି । ୨୦୨୪ ଅଗଷ୍ଟ ୨୭ରେ ସମ୍ବଲପୁରରେ ଏମ୍ସ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମାଝୀ କେନ୍ଦ୍ରକୁ ଚିଠି ଲେଖିଥିଲେ ।
ପରେ ସେହିବର୍ଷ ନୂଆଁଖାଇ ଅବସରରେ ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ବଲପୁରରେ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେତେବେଳେ ରାଜ୍ୟ ସରକାର ଏନେଇ କେନ୍ଦ୍ର ନିକଟରେ ଦାବି ରଖିଥିବା ମଧ୍ୟ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ ଅକ୍ଟୋବର ମାସରେ ଜେପି ନଡ୍ଡା ଚିଠି ଲେଖିଥିବା ଦାବି କରାଯାଉଛି । ନୂଆ ଏମ୍ସ ପ୍ରତିଷ୍ଠା ପରିବର୍ତ୍ତେ ରାଜ୍ୟର ତିନିଟି ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି ।
ଚିଠିରେ ସମ୍ବଲପୁରରେ ନୂଆ ଏମ୍ସ ପାଇଁ କେନ୍ଦ୍ର ସରକାରଙ୍କ ବର୍ତ୍ତମାନର ପ୍ରସ୍ତାବ କିମ୍ବା ବଜେଟ୍ରେ କୌଣସି ବ୍ୟବସ୍ଥା ନଥିବା ଉଲ୍ଲେଖ କରାଯାଇଛି। ଏହା ଫଳରେ ସମ୍ବଲପୁରରେ ଏମ୍ସ ସ୍ଥାପନ ନେଇ ରାଜ୍ୟ ସରକାରଙ୍କ ଆଶାକୁ ଝଟକା ଲାଗିଛି । ସମ୍ବଲପୁରରେ ଏମ୍ସ ପ୍ରତିଷ୍ଠା ଦାବି ପଶ୍ଚିମ ଓଡ଼ିଶାରେ ଦୀର୍ଘଦିନ ଧରି ଉଠିଆସୁଛି । ଏହି ଅଞ୍ଚଳରେ ଉନ୍ନତ ଚିକିତ୍ସା ସୁବିଧାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଏମ୍ସ ଭଳି ଜାତୀୟସ୍ତରୀୟ ପ୍ରତିଷ୍ଠାନ ପାଇଁ ଦାବି ହୋଇଆସୁଥିଲା
