ସମ୍ବଲପୁର, (ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ଦ୍ୱିତୀୟଥର ପାଇଁ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟ ଛୁଇଁଥିଲା। ପରେ ବର୍ଷା ହେବାରୁ ଜଳସ୍ତରକୁ ୧ ଫୁଟ ପର୍ଯ୍ୟନ୍ତ କମାଯାଇଥିଲା। ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫୦ ହଜାର ୯୬୦ ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାର୍ଗ ଦେଇ ହାରାହାରି ୫୦ ହଜାର ୯୬୦ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ସ୍ପିଲ୍‌ୱେ ଦେଇ ୧୬ ହଜାର ୪୪୦ କ୍ୟୁସେକ୍, ପାୱାର ଚ୍ୟାନେଲ ଦେଇ ୨୯ ହଜାର ୭୫୮ କ୍ୟୁସେକ୍, ଶିଳ୍ପସଂସ୍ଥା ପାଇଁ ୨୨୧ କ୍ୟୁସେକ୍, ବିଭିନ୍ନ କେନାଲକୁ ୪୫୪୧ କ୍ୟୁସେକ୍ ପାଣି ଛଡ଼ାଯାଉଥିଲା। ମହାନଦୀ ତଳମୁଣ୍ଡ ଗେଜ୍ ଷ୍ଟେସନଗୁଡ଼ିକ ମଧ୍ୟରୁ ବେଲଗାଁରେ ୨୧ ହଜାର କ୍ୟୁସେକ୍, ପର୍ଥଲାରେ ୩୮ ହଜାର ୮୦୭ କ୍ୟୁସେକ୍, ଖଇରମାଳରେ ୮୮ ହଜାର କ୍ୟୁସେକ୍, ବରମୂଳରେ ୧ ଲକ୍ଷ ୬୪ ହଜାର କ୍ୟୁସେକ୍ ଓ ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା।