ରାୟଗଡ଼ା, (ସତ୍ୟପାଠ ବ୍ୟୁରୋ): ଡାକ୍ତରଖାନାରୁ ଚିକିତ୍ସା ସାରି ଘରକୁ ଫେରୁଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ । ରାୟଗଡ଼ା ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ଚାଲିଚାଲି ନିଜ ଗାଁକୁ ଫେରୁଥିବା ବେଳେ ମାର୍ଥାଗୁଡ଼ା ଗାଁ ନିକଟ ରାସ୍ତାକଡ଼ରେ ହଠାତ ଟଳି ପଡ଼ିଲେ। ମୃତ ବ୍ୟକ୍ତି ଜଣକ ହେଲେ ଡି.ରାଣୀବନ୍ଧ ଗାଁର ବାସୀନ୍ଦା ବୁଦ୍ରୀ ଜାକାସିକା । କିଛିଦିନ ହେବ ବୁଦ୍ରୀ କାଶ ଓ ଜ୍ୱରରେ ପୀଡ଼ିତ ଥିବା ବେଳେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ଡାକ୍ତର ଦେଖାଇ ଘରକୁ ଫେରିବା ବେଳେ ମାର୍ଥାଗୁଡ଼ା ନିକଟରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ପାଇ ପରିବାର ଲୋକେ ପହଞ୍ଚି ମୃତଦେହ ଗାଁକୁ ଆଣି ସତ୍କାର କରିଥିଲେ । ତେବେ ଗାଁକୁ ଭଲ ରାସ୍ତା ନଥିବାରୁ ଚିକିତ୍ସା ପାଇଁ ଗ୍ରାମବାସୀଙ୍କୁ ଚାଲିଚାଲି ଯିବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ବୁଦ୍ରୀ ଜାକାସିକା ମଧ୍ୟ କୌଣସି ଗାଡ଼ିମୋଟର ନପାଇ ଚାଲି ଚାଲି ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।
