ସୁନ୍ଦରଗଡ଼, (ସତ୍ୟପାଠ ବ୍ୟୁରୋ) : ସ୍କୁଲରେ ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ବାରମ୍ୱାର ଏପରି ଘଟଣା ଘଟିବା ପରେ ସତ୍ୟ ସାମ୍ନାକୁ ଆସିଛି। ବିଦ୍ୟାଳୟର ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଜଣେ ସହକାରୀ କିରାଣିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସୁନ୍ଦରଗଡ଼ କେ.ବଲାଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ବିଦ୍ୟାଳୟରେ ଗଣେଶ ପୂଜା ଭସାଣି ପରେ ଏହି ଘଟଣା ଘଟିଥିବାନେଇ ଅଭିଯୋଗ ହୋଇଛି। ଦୁଇ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟକୁ ନେବା ବଦଳରେ ସମ୍ପୃକ୍ତ ସହକାରୀ କିରାଣି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଭୟରେ ଛାତ୍ରୀମାନେ ଚୁପ୍ ରହିଥିବା କୁହାଯାଉଛି। ତେବେ ଥରେ ନୁହଁ ବାରମ୍ୱାର ଏଭଳି ଘଟଣା ଘଟିବା ପରେ ଛାତ୍ରୀମାନେ ଶେଷରେ ଅତିଷ୍ଠ ହୋଇ ମୁହଁ ଖୋଲି ଅଭିଯୋଗ କରିଛନ୍ତି। ପରିବାର ପକ୍ଷରୁ ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ କେବଲାଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗକୁ ଆଧାର କରି ପୋଲିସ ସମ୍ପୃକ୍ତ ସହକାରୀ କିରାଣିଙ୍କୁ ଥାନାକୁ ନେଇ ପଚରାଉଚରା କରିଥିବା ଜଣାପଡ଼ିଛି। ତେବେ ଘଟଣାର ସତ୍ୟତା, ଅଭିଯୋଗର ପୃଷ୍ଠଭୂମି ନେଇ ପୋଲିସ ତଦନ୍ତ ଜାରି ରଖିଛି।
