ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ): Flydubai ବିମାନରେ ଭାରତୀୟ କ୍ୟାପଟେନ୍ ସ୍ମିତ ମାଛରଙ୍କ ଉପରେ ଆକ୍ରମଣ ଘଟଣାରେ ଆସିଲା ବଡ଼ ତଥ୍ୟ । ଅଭିଯୁକ୍ତ କୋ-ପାଇଲଟଙ୍କୁ ୨୦୨୪ରେ ହିଁ ସୁରକ୍ଷା ପାଇଁ ବିପଦ ବୋଲି ଚିହ୍ନଟ କରିଥିଲା ଓମାନ ଏୟାର । ଏକ ଗଣମାଧ୍ୟମକୁ ବରିଷ୍ଠ ଗୁଇନ୍ଦା ଓ ଆଇନ ପ୍ରବର୍ତ୍ତନ ଅଧିକାରୀ ଦେଇଥିବା ସୂଚନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ୨୦୨୪ରେ ସେ Oman Airରେ ଟ୍ରେନି କୋ-ପାଇଲଟ୍ ଭାବେ କାମ କରୁଥିଲେ ।
ସେହି ସମୟରେ ତାଙ୍କ ପାଖରୁ ଉଗ୍ରବାଦ ସମ୍ପର୍କିତ କିଛି ସାମଗ୍ରୀ ମିଳିଥିବା ସୂତ୍ରରୁ ରିପୋର୍ଟ କରାଯାଇଛି । ଏହାପରେ ତାଙ୍କୁ ବିମାନ ଉଡ଼ାଣ ଦାୟିତ୍ୱରୁ ହଟାଯାଇଥିଲା। ତେବେ Oman Airରୁ ସମ୍ପୂର୍ଣ୍ଣ ବାହାର କରାଯାଇ ନଥିଲା । ତାଙ୍କୁ ପ୍ରଶାସନିକ କାମରେ ରଖାଯାଇଥିବା ସୂତ୍ର କହିଛନ୍ତି । ଏବେ ସବୁଠାରୁ ବଡ଼ ପ୍ରଶ୍ନ- ୨୦୨୪ରେ ସୁରକ୍ଷା ଚିନ୍ତା କାରଣରୁ ଉଡ଼ାଣରୁ ହଟାଯାଇଥିବା ବ୍ୟକ୍ତି ପରେ Flydubaiର କକପିଟରେ କିପରି ପହଞ୍ଚିଲେ? ତଦନ୍ତକାରୀ ଅଧିକାରୀମାନେ ଏବେ ଏହି ଦିଗକୁ ନେଇ ଯାଞ୍ଚ କରୁଛନ୍ତି। Oman Airରେ ପୂର୍ବରୁ ସୁରକ୍ଷା ସମ୍ପର୍କିତ ଚିନ୍ତା ସାମ୍ନାକୁ ଆସିବା ସତ୍ତ୍ୱେ ପରବର୍ତ୍ତୀ ସମୟରେ ସେ କିପରି Flydubaiରେ ନିଯୁକ୍ତି ପାଇଲେ ଏବଂ ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ବିମାନର First Officer ଭାବେ କିପରି ଦାୟିତ୍ୱ ପାଇଲେ, ତାହାର ତଦନ୍ତ ଚାଲିଛି । ଏହି ଘଟଣା Flydubaiର FZ1073 ବିମାନରେ ଘଟିଥିଲା । ବିମାନଟି ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ବେଳେ କୋ-ପାଇଲଟ୍ ଭାରତୀୟ କ୍ୟାପଟେନ୍ ସ୍ମିତ ମାଛରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି ।
