ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଦୀର୍ଘ ୮ ବର୍ଷ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଅକ୍ଟୋବର ୧୫ରେ ନିର୍ବାଚନ ହେବା ନେଇ ଘୋଷଣା ପରେ କ୍ୟାମ୍ପସରେ ଉତ୍ସାହ ବଢ଼ିଥିବା ବେଳେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଛନ୍ତି । ମନ୍ତ୍ରୀଙ୍କ ବାସଭବନରେ ଭେଟି ନିର୍ବାଚନ ଘୋଷଣା କରିଥିବାରୁ ସରକାର ଓ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟପଟେ ଗତକାଲି ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଯେଉଁ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ହେବ, ସେଠାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ନିର୍ବାଚନ ସମ୍ପର୍କିତ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଗଣ୍ଡଗୋଳ ହେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନିର୍ବାଚନ ହେବ କି ନାହିଁ, ସେହି ନିଷ୍ପତ୍ତି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ନେବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଅର୍ଥାତ୍‌, ନିର୍ବାଚନ ସମୟରେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ ଦିଆଯିବ।

ଅକ୍ଟୋବର ୭ରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୯ରେ ନାମାଙ୍କନ, ଅକ୍ଟୋବର ୧୦ରେ ନାମାଙ୍କନ ପ୍ରତ୍ୟାହାର ଓ ଅକ୍ଟୋବର ୧୪ରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ବୈଠକ ହେବ । ଅକ୍ଟୋବର ୧୫ରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ ଏବଂ ସେହିଦିନ ହିଁ ଭୋଟ୍ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ଅକ୍ଟୋବର ୧୬ରେ ଶପଥ ଗ୍ରହଣ କରିବେ ନିର୍ବାଚିତ ପ୍ରତିନିଧି।