ଲକ୍ଷ୍ନୌ, (ସତ୍ୟପାଠବ୍ୟୁରୋ) : ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ବୁଧବାର ଭୋର ସମୟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ଏକ ଏର୍ଟିଗା କାର ଟ୍ରକ୍‌କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣ ଯୁବ ଟେନିସ୍ ଖେଳାଳିଙ୍କ ମୃତ୍ୟୁ ଘଟିଛି । ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସର ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାରଟି ପ୍ରାୟ ୧୦୦ କିଲୋମିଟର ବେଗରେ ଯାଉଥିବା ବେଳେ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା। ଏଥିରେ ଥିବା ୬ ଜଣ ଯୁବ ଖେଳାଳି କାର ଭିତରେ ଫସି ଯାଇଥିଲେ।

ଖବର ପାଇ ଏକ୍ସପ୍ରେସୱେର ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ଚେଷ୍ଟା ପରେ କାର ଭିତରୁ ସମସ୍ତଙ୍କୁ ବାହାର କରାଯାଇଥିଲା । ଗୁରୁତର ଆହତମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ କୁମାରଗଞ୍ଜ ଡାକ୍ତରଖାନା ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ଅଯୋଧ୍ୟାର ଦର୍ଶନନଗର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ଦେଓରିଆର ନିତ୍ୟ ପ୍ରଜାପତି(୨୨), ଇରଫାନ ଅନସାରୀ(୨୦) ଏବଂ  ଅନିକେତ(୨୪)ଙ୍କ ମୃତ୍ୟୁ ଘଟିଛି । ଆହତମାନଙ୍କ ମଧ୍ୟରେ ଦେଓରିଆର ଲାର ଥାନା ଅଞ୍ଚଳର ଆନନ୍ଦ ଯାଦବ, ରାଜୁ ଏବଂ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଜାମୁନି ନିବାସୀ ଜୟନ୍ତୋ ଶର୍ମା ରହିଛନ୍ତି । ଆହତ ଜୟନ୍ତୋ ଶର୍ମାଙ୍କ କହିବା ଅନୁଯାୟୀ, ସେମାନେ ବୃତ୍ତିଗତ ଟେନିସ୍ ଖେଳାଳି। ଲକ୍ଷ୍ନୌରେ ଏକ ମ୍ୟାଚ୍ ଖେଳିବା ପରେ ସେମାନେ ଦେଓରିଆ ଫେରୁଥିଲେ। ଯାତ୍ରା ସମୟରେ ସମସ୍ତେ ଶୋଇପଡ଼ିଥିଲେ । ତେଣୁ ଦୁର୍ଘଟଣା କିପରି ଘଟିଲା, ସେ ବିଷୟରେ ସେ କିଛି ଜାଣିନଥିବା କହିଛନ୍ତି ।