ୱାଶିଂଟନ (ସତ୍ୟପାଠବ୍ୟୁରୋ) : ଭାରତୀୟ ବଂଶୋଦ୍ଭବ ତଥା ଆଇସିସି ବିଚାରପତି ନବନେଥମ ‘ନଭି’ ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ସମ୍ପର୍କରେ ଘୋଷଣା କରାଯିବାର କିଛି ସମୟ ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଆଇସିସି ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଏଭଳି କିଛି ହେବ ବୋଲି ପୂର୍ବରୁ ନୋବେଲ କମିଟି ଆଶଙ୍କା କରୁଥିଲେ। ତେଣୁ ଟ୍ରମ୍ପଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ କଡ଼ା ଜବାବ ଦେଇପାରୁଥିବା ଜଣଙ୍କୁ ଶାନ୍ତି ପୁରସ୍କାର ଦେବାକୁ କମିଟି ପକ୍ଷରୁ ବିଚାର କରାଯାଉଥିଲା। ତାହା ପୁରସ୍କାର ଘୋଷଣା ପରେ ସତ୍ୟରେ ପରିଣତ ହୋଇଛି। ସେପଟେ ଟ୍ରମ୍ପ ପ୍ରଶାସନ କଟକଣା ଘୋଷଣା କରିଛନ୍ତି।ଏହା ଯୋଗୁଁ ଟ୍ରିବ୍ୟୁନାଲର କାର୍ଯ୍ୟରେ ବାଧା ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ କୋର୍ଟ କହିଛନ୍ତି ଯେ, ଏହା ନିଜ ପଥରୁ ବିଚ୍ୟୁତ ହେବେ ନାହିଁ ଏବଂ ପ୍ରତ୍ୟେକ ସମ୍ଭବ ଉପାୟରେ ନିଜର କାର୍ଯ୍ୟ ଜାରି ରଖିବେ। ତେବେ ଆମେରିକା ଦାବି କରୁଛି ଯେ, ଆଇସିସି ଯୁଦ୍ଧ ଅପରାଧ ପାଇଁ ଆମେରିକୀୟ ଏବଂ ଇସ୍ରାଏଲୀୟଙ୍କ ପ୍ରତି ପକ୍ଷପାତ କରୁଛି।
ଯୁଦ୍ଧ ଅପରାଧ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗିରଫଦାରୀ ପାଇଁ ଆଇସିସି ଅନ୍ତର୍ଜାତୀୟ ଗିରଫ ପରୱାନା ଜାରି କରିଛି। ପ୍ରତିବନ୍ଧକ ଘୋଷଣା କରି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି,ଆମେ ଏହି ଠକ କୋର୍ଟକୁ ଦିଆଯାଉଥିବା ପାଣ୍ଠି ବନ୍ଦ କରିଦେବୁ, ଏହାର ସମ୍ବଳକୁ ସମାପ୍ତ କରିବୁ ଏବଂ ଆମେରିକା ବିରୋଧରେ କାର୍ଯ୍ୟ କରିବାର କ୍ଷମତାକୁ ସମାପ୍ତ କରିଦେବୁ।
