ସମ୍ବଲପୁର, (ସତ୍ୟପାଠ ବ୍ୟୁରୋ): ସ୍ୱଚ୍ଛତାକୁ ଆମର ଦୈନନ୍ଦିନ ଜୀବନରେ ଅଭ୍ୟାସରେ ପରିଣତ କରିବା ସହ ଏକ ସୁସ୍ଥ, ସୁନ୍ଦର ଏବଂ ନିରୋଗ ସମାଜ ଗଠନ କରିବା ନିହାତି ଜରୁରୀ। ସ୍ୱଚ୍ଛତା କେବଳ ଦିନକର କାମ ନୁହେଁ, ଏହା ଏକ ଜୀବନଶୈଳୀ। ଏହା ହେଉଛି ଆମର ନୈତିକ ସଂସ୍କାର । ସୁସ୍ଥ ରହିବା ପାଇଁ ହେଲେ ପରିବେଶକୁ ସ୍ୱଚ୍ଛ ରଖିବାକୁ ପଡ଼ିବ । ତେଣୁ ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପବିତ୍ର ‘ମହାଳୟା’ ଅବସରରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଆଜି ସମ୍ବଲପୁର ଜିଲ୍ଲାରେ ଜିଲ୍ଲାବ୍ୟାପୀ ‘ମେଗା ସ୍ୱଚ୍ଛତା ଅଭିଯାନ’ରେ ସାମିଲ ହୋଇଥିଲେ ଶ୍ରୀ ପ୍ରଧାନ । ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଯୁବସାଥୀ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସ୍ଥାନୀୟ ନାଗରିକଙ୍କ ସହ ଅଂଶଗ୍ରହଣ କରି ସମ୍ବଲପୁରରେ ସଫେଇ କାର୍ଯ୍ୟ କରିବା ସହ ଅନ୍ୟମାନଙ୍କୁ ସଫେଇ କାର୍ଯ୍ୟ କରିବା ପାଇଁ ସଚେତନ କରିଥିଲେ । ଏହି ଅବସରରେ ସେ କହିଛନ୍ତି, ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏବଂ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍ ତରଫରୁ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ଜନ ଆନ୍ଦୋଳନ ତଥା ସ୍ୱଚ୍ଛତା ପର୍ବ ଆରମ୍ଭ କରାଯାଇଛି ।

ପ୍ରଶାସନର ଯୋଜନା ଅନୁଯାୟୀ ଆଜି ସମ୍ବଲପୁର ଜିଲ୍ଲାରେ ପାଖାପାଖି ଏକ ଲକ୍ଷ ଲୋକ ନିଜ ନିଜ ପରିସରରେ, ଆଖପାଖ ଓ ଘର ବାହାରକୁ ଯାଇ ସ୍ୱଚ୍ଛତା କାମରେ ଲାଗିଛନ୍ତି । ଆଜି ପବିତ୍ର ମହାଳୟା ଏବଂ ନବରାତ୍ରୀ ପୂର୍ବରୁ ସମ୍ବଲପୁର ଦେଶ ପାଇଁ ଏକ ନୂଆ ଉଦାହରଣ ତିଆରି କରିଛି । ସ୍ୱଚ୍ଛତା ଦ୍ୱାରା ସହର ସୁସ୍ଥ ରହିବ, ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ ଏବଂ ସମସ୍ତଙ୍କର ବିକାଶ ହେବ ।

ସେ ଆହୁରି କହିଛନ୍ତି ଯେ ସ୍ୱଚ୍ଛତା ହିଁ ସେବା- ଏହା ହେଉଛି ଆମ ସମାଜର ମୂଳ ମନ୍ତ୍ର। ପୂଜ୍ୟ ବାପୁ କହୁଥିଲେ ଯେ ସ୍ୱଚ୍ଛତା ହେଉଛି ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେହି ମହାନ ଚିନ୍ତାଧାରାକୁ ଆପଣାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛତା ହିଁ ସେବା’ ମାଧ୍ୟମରେ ଏହାକୁ ଏକ ବିଶାଳ ଜନ-ଆନ୍ଦୋଳନରେ ପରିଣତ କରିଛନ୍ତି। ସ୍ୱଚ୍ଛତାକୁ ଜୀବନର ଚରିତ୍ର ଏବଂ ସ୍ୱଭାବ ବନେଇବାକୁ ପଡ଼ିବ। ଘର ଭିତରକୁ ଆମେ ନିଜେ ସଫା କରୁଛେ, କିନ୍ତୁ ଘର ବାହାରକୁ ସମସ୍ତେ ମିଶି ସମାଜକୁ ସଫା କରିବାକୁ ପଡ଼ିବ।