ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ) : ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଓ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡିଆ ମେଣ୍ଟର ୧୧ ଜଣ ପ୍ରମୁଖ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ କୋର୍ଟ ଫି’ରେ ୨୨୦ ଟଙ୍କା କମ୍ ରହିବା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପରିଚୟ ପତ୍ରର ଅସ୍ପଷ୍ଟ ଫଟୋକପି ଏବଂ ୧୧ ଜଣ ଆବେଦନକାରୀଙ୍କ ମଧ୍ୟରୁ ୯ ଜଣଙ୍କର ”ବକାଲତନାମା” ନଥିବା ଭଳି ମୋଟ ୧୪ଟି ତ୍ରୁଟି ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଦର୍ଶାଇବା ପରେ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇପାରି ନାହିଁ।
ଏହିସବୁ ତ୍ରୁଟିକୁ ସୁଧାରିବା ପରେ ବୁଧବାର ଦିନ ମାମଲାଟିକୁ ପଞ୍ଜୀକୃତ କରି ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନେତାମାନଙ୍କ ଆଇନଗତ ଟିମ୍ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ରେଜିଷ୍ଟ୍ରିର ଏହି ଆପତ୍ତି ଯୋଗୁଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତି ବିରୋଧରେ ସ୍ବାଧୀନ ତଦନ୍ତ ଏବଂ ଚାଲୁରହିଥିବା ଏସଆଇଆର ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଦାବି କରି କରାଯାଇଥିବା ଆବେଦନର ବିଚାର ପ୍ରକ୍ରିୟା କିଛି ସମୟ ପାଇଁ ବିଳମ୍ବିତ ହୋଇଛି। ଯେଉଁ ନେତାମାନଙ୍କର ବକାଲତନାମା ନଥିବା କୁହାଯାଇଛି, ସେମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟି ମୁଖିଆ ଅଖିଲେଶ ଯାଦବ, ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ, ଏନସିପି (ଶରଦ ପାୱାର) ସାଂସଦ ସୁପ୍ରିୟା ସୁଲେ, ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଏବଂ ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ଅନ୍ତର୍ଭୁକ୍ତ।
ଏହା ବ୍ୟତୀତ ଏକ ଜନସ୍ୱାର୍ଥ ମାମଲାରେ କାହିଁକି ବ୍ୟକ୍ତିଗତ ପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି ସେ ନେଇ ମଧ୍ୟ ରେଜିଷ୍ଟ୍ରି ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ଆୟୋଗଙ୍କୁ ପ୍ରଥମ ପକ୍ଷ କରିବା ସହିତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯାଇଥିବାରୁ ଏହି ପ୍ରଶ୍ନ କରାଯାଇଛି।
