ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଦେଶରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି। ୨୦୧୪ ପୂର୍ବରୁ ଭାରତରେ ମାତ୍ର କିଛି ଶହ ଷ୍ଟାର୍ଟଅପ୍ ଥିବାବେଳେ ଏବେ ଏହି ସଂଖ୍ୟା ୨.୫ ଲକ୍ଷ ଟପିଛି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରାୟ ଅଧା ଷ୍ଟାର୍ଟଅପ୍ ଛୋଟ ସହରରୁ  ଆସୁଛି। ସେହିପରି ୪୫ ପ୍ରତିଶତ ଷ୍ଟାର୍ଟଅପ୍‌ରେ ଅତି କମ୍‌ରେ ଜଣେ ମହିଳା ନିର୍ଦ୍ଦେଶକ କିମ୍ବା ଅଂଶୀଦାର ଅଛନ୍ତି। ଏହାଦ୍ୱାରା ଅଧିକ ଲୋକଙ୍କୁ ନିଜ ପ୍ରତିଭା ଦେଖାଇବା ଓ ନୂଆ ଉଦ୍ୟୋଗ ଆରମ୍ଭ କରିବାର ସୁଯୋଗ ମିଳୁଛି। ମୋଦୀ କହିଛନ୍ତି, ଆଜିର ଯୁଗରେ ଟେକ୍ନୋଲୋଜି, ଡାଟା, ଜ୍ଞାନ ଓ ନବସୃଜନ ସବୁଠାରୁ ବଡ଼ ଶକ୍ତି। କିନ୍ତୁ ଏହି ଶକ୍ତିର ଉପଯୋଗ କିପରି ହେଉଛି, ତାହା ଗୁରୁତ୍ୱପୂର୍ଣ୍ଣ। ଟେକ୍ନୋଲୋଜି କେବଳ କିଛି ଲୋକଙ୍କୁ ଆଗକୁ ବଢ଼ାଉଛି ନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି, ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ଜ୍ଞାନ କେବଳ କିଛି ଲୋକଙ୍କ ମଧ୍ୟରେ ସୀମିତ ନରହି ସମସ୍ତଙ୍କ ଦକ୍ଷତା ବଢ଼ାଇବାରେ ସହାୟକ ହେବା ଉଚିତ। ଏହି ଚିନ୍ତାଧାରାକୁ ସେ ‘ପାୱାର ଟୁ ଏମ୍ପାୱାର’ ବୋଲି କହିଛନ୍ତି। ଭାରତର ବିବିଧତା ଓ ଡିଜିଟାଲ୍ କ୍ଷମତା ବିଷୟରେ ମୋଦୀ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଦେଶରେ ୧୦୦ରୁ ଅଧିକ ଭାଷା, ପ୍ରାୟ ୮୦ ହଜାର ପଞ୍ଜୀକୃତ ଖବରକାଗଜ ଓ ପ୍ରକାଶନ ଏବଂ ୧ ହଜାରରୁ ଅଧିକ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ରହିଛି।