ଭୁବନେଶ୍ବର, (ସତ୍ୟପାଠ ବ୍ୟୁରୋ): ଛାତ୍ର ସଂସଦ ନିର୍ବାଚନ ପାଇଁ କାଲି ପଡ଼ିବ ଭୋଟ୍‌ । ଆଜି କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହୋଇଛି ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ। ପ୍ରାର୍ଥୀଙ୍କ ପାଇଁ ଭୋଟରମାନଙ୍କୁ ପ୍ରଭାବିତ କରିବାର ଏହା ଶେଷ ସୁଯୋଗ ଥିବାବେଳେ କେହି ହାତଛଡ଼ା କରି ନାହାନ୍ତି। କଳ, ବଳ କୌଶଳ ଲଗାଇ ଭୋଟରଙ୍କୁ ହାତେଇବା ପାଇଁ ଚେଷ୍ଟା କରିଛନ୍ତି ପ୍ରାର୍ଥୀ। ସହପାଠୀ ମାନଙ୍କ ଗ୍ରହଣରେ ପ୍ରାର୍ଥୀ ମାନେ କାହିଁକି ନିର୍ବାଚନରେ ଭାଗ ନେଇଛନ୍ତି ଏବଂ ଜିତିବା ପରେ କଲେଜର ଉନ୍ନତି ପାଇଁ କଣ କରିବେ, ସେ ବିଷୟରେ ନିଜର ବ୍ଲୁପ୍ରିଣ୍ଟ୍‌ ଉପସ୍ଥାପନ କରିଛନ୍ତି। କ୍ୟାମ୍ଫନିଂ ସରିବା ପରେ ଫୋକସରେ ରହିଥିଲା ଆଜିର ଏହି ହ୍ଵାଇ ଆଇ ଷ୍ଟାଣ୍ଡ ଫର… ମିଟିଂ। ଏହି ମଞ୍ଚରେ ପ୍ରାର୍ଥୀମାନେ ନିଜ ଆଭିମୁଖ୍ୟ ରଖିବା ସହ ଅନେକ ପ୍ରତିଶ୍ରୁତି ଦେଇଥିଲେ। ଶିକ୍ଷା, ହଷ୍ଟେଲ, କ୍ୟାଣ୍ଟିନ, ଲାଇବ୍ରେରୀ, କ୍ୟାମ୍ପସ ସୁରକ୍ଷା ଓ ଛାତ୍ରଛାତ୍ରୀଙ୍କ ଅଧିକାର ପ୍ରସଙ୍ଗରେ ପ୍ରାର୍ଥୀମାନେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ମୁଁ କାହିଁ ପ୍ରାର୍ଥୀ ହେଲି କାର୍ଯ୍ୟକ୍ରମ ପାଇଁ ମହାବିଦ୍ୟାଳୟ ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବିଭିନ୍ନ ଦଳର ସମର୍ଥନରେ ପ୍ରାର୍ଥୀ ହୋଇଥିବା ଛାତ୍ରଛାତ୍ରୀମାନେ ବିଶାଳ ଶୋଭାଯାତ୍ରାରେ ମହାବିଦ୍ୟାଳୟ ପରିକ୍ରମା ପରେ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ। ପ୍ରତି ପ୍ରାର୍ଥୀଙ୍କୁ ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ ପାଇଁ ୩ ମିନିଟ୍ କହିବା ପାଇଁ ସୁଯୋଗ ରହିଥିଲା। କୌଣସି ପ୍ରାର୍ଥୀ ନିଜ ଆଭିମୁଖ୍ୟ କହିବା ବେଳେ କୌଣସି ରାଜନୈତିକ ଦଳ ବିଷୟରେ କହିବା ପାଇଁ ବାରଣ କରାଯାଇଥିଲା। ଗତ ୭ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କ୍ୟାମ୍ପସ୍‌ ରାଜନୀତି ସରଗରମ ହୋଇଥିଲା। ରାଜ୍ୟର ତିନି ପ୍ରମୁଖ ଛାତ୍ର ସଂଗଠନ ଏବିଭିପି, ବିସିଜେଡି ଏବଂ ଏନଏସ୍‌ୟୁଆଇ ପକ୍ଷରୁ କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ଛକାପଞ୍ଝା ସ୍ଥିତି ଦେଖିବାକୁ ମିଳିଛି। କଲେଜ ଭିତ୍ତିଭୂମିର ଉନ୍ନତିକରଣ ସହ ବିଭିନ୍ନ ପ୍ରସଙ୍ଗ ଧରି ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ମଙ୍ଗଳବାର ଜମିଥିଲା ଶେଷ ଦିନର ପ୍ରଚାର। ରାଜ୍ୟର କିଛି ଶିକ୍ଷାନୁଷ୍ଠାନରେ ହିଂସା କାରଣରୁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ୍‌ କରାଯାଇଥିବା ବେଳେ ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନରେ ବିଶୃଙ୍ଖଳା ରୋକିବାକୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଅନ୍ୟପଟେ ତେବେ ହ୍ବାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ ପୂର୍ବରୁ ଅନେକ କଲେଜ ଓ ବିଶ୍ବ ବିଦ୍ୟାଳୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ବାଲଟ ପେପରରେ ନାମ ପରିବର୍ତ୍ତନକୁ ନେଇ ବିସିଜେଡି ନେତ୍ରୀମାନେ ହଙ୍ଗାମା କରିଥିଲେ। ଫଳରେ ରମାଦେବୀ ବିଶ୍ବବିଦ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ବାଲାଟ ପେପରରେ ନମ୍ବର ପରିବର୍ତ୍ତନ ନେଇ ଅଭିଯୋଗ କରିବା ସହ କ୍ୟାମ୍ପସରେ ବିସିଜେଡି ପକ୍ଷରୁ ହୋହଲ୍ଲା କରାଯାଇଛି। ରମାଦେବୀ କଲେଜ ସଂସଦ ନିର୍ବାଚନରେ ହସ୍ତକ୍ଷେପ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ। ସେପେଟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ତ୍ରିମୁଖୀ ଲଢ଼େଇ ଏବିଭିପି, ବିସିଜେଡି ଓ ଏନଏସୟୁଆଇ ମଧ୍ୟରେ କଡ଼ା ଟକ୍କର। ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ ବାଣୀବିହାରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ତେବେ କାହାର ରହିବ ଦବଦବା, କାହା ସପକ୍ଷରେ ଯିବ ଛାତ୍ରଛାତ୍ରୀଙ୍କ ମତ? ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା।