ଭୁବନେଶ୍ୱର : ଓଡିଶାରେ ଥିବା ସ୍ୱୟଂଶାସିତ କଲେଜଗୁଡିକ ଭିତରୁ ଅଧିକାଂଶଙ୍କର ସ୍ୱୟଂଶାସନ ମର୍ଯ୍ୟାଦା ଦୀର୍ଘବର୍ଷ ତଳୁ କଟି ସାରିଥିଲେ ମଧ୍ୟ ସେଗୁଡିକର ଠିକଣା ସମୟରେ ନବୀକରଣ ହୋଇପାରୁନାହିଁ । ଏଭଳି ସ୍ଥିତିରେ ନୂଆ ସ୍ୱୟଂଶାସିତ ମର୍ଯ୍ୟାଦାପାଇଁ ଆଗ୍ରହ କମି କମି ଆସୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଆନ୍ଧ୍ରପ୍ରଦେଶରେ ଶତାଧିକ କଲେଜର ସ୍ୱୟଂଶାସିତ ମର୍ଯ୍ୟାଦା ବଳବତ୍ତର ଥିବାବେଳେ ଓଡିଶାରେ ପ୍ରାୟ ୫୦ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଏହି ମର୍ଯ୍ୟାଦା ରହିଥିଲା । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ୱୟଂଶାସିତ ମର୍ଯ୍ୟାଦା ଦେବାପାଇଁ ମାନଦଣ୍ଡ ସ୍ଥିର କରିଥାନ୍ତି । ବିଶେଷକରି ନାକ୍‍ ମାନଦଣ୍ଡରେ ଯେଉଁ କଲେଜଗୁଡିକର ଏ++ ମାନ୍ୟତା ରହିଥାଏ ସେଗୁଡିକ ସହଜରେ ସ୍ୱୟଂଶାସିତ ମର୍ଯ୍ୟାଦା ପାଇଥାନ୍ତି । ନିର୍ଦ୍ଦିଷ୍ଟ ସମୟ ଅବଧିକରେ ଏହି ଉଚ୍ଚଶିକ୍ଷାନୁଷ୍ଠାନଗୁଡିକର କାର୍ଯ୍ୟ ସମୀକ୍ଷା କରାଯାଇଥାଏ ଏବଂ ସ୍ୱୟଂଶାସିତ ଅବଧି ସରିବା ପୂର୍ବରୁ ତାହାର ନବୀକରଣ ଲାଗି କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯାଇଥାଏ ।

ଇତି ମଧ୍ୟରେ ସ୍ୱୟଂଶାସିତ ମର୍ଯ୍ୟାଦା ପାଇଥିବା ରେଭେନ୍ସା, ଗଙ୍ଗାଧର ମେହେର, ଖଲ୍ଲିକୋଟ, ଧରଣୀଧର, ବିକ୍ରମଦେବ, ରମାଦେବୀ ମହିଳା କଲେଜ ଆଦିକୁ ସରକାର ବିଶ୍ୱବିଦ୍ୟାଳୟରେ ପରିଣତ କରିସାରିଛନ୍ତି । ଏକଦା ରାଜ୍ୟର ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ଚର୍ଚ୍ଚାରେ ରହୁଥିବା ସ୍ୱୟଂଶାସିତ କଲେଜଗୁଡିକ ଭିତରୁ ଯେଉଁଗୁଡିକ ବିଶ୍ୱବିଦ୍ୟାଳୟ ସ୍ତରକୁ ଉନ୍ନିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ନାକ୍‍ ମାନ୍ୟତା ପୂର୍ବାପେକ୍ଷା ଢେର କମ୍‍ ରହୁଛି ।

ଏଭଳି ସ୍ଥିତିରେ ରାଜ୍ୟର ଅନେକ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ନାମରେ ସ୍ୱୟଂଶାସିତ ଶବ୍ଦ ଲେଖାଥିଲେ ମଧ୍ୟ ଏଗୁଡିକ ଭିତରେ କାହାର ଉକ୍ତ ମର୍ଯ୍ୟାଦା ରହିଛି କି ନାହିଁ ସେ ସଂକ୍ରାନ୍ତରେ ବହୁ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିବାକୁ ନାରାଜ ।

ବିଶେଷକରି ସଂଖ୍ୟାଧିକ ସ୍ୱୟଂଶାସିତ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଅନେକ କ୍ଷେତ୍ରରେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ନେଇ ଅନେକ ସ୍ୱୟଂଶାସିତ କଲେଜ ଚାଲୁଛି । କେବଳ ସେତିକି ନୁହେଁ, ଅଧିକାଂଶ ସ୍ୱୟଂଶାସିତ କଲେଜରେ ଉଭୟ ଶିକ୍ଷକ ଓ ଅଣଶିକ୍ଷକ ପଦବୀମାନ ବର୍ଷ ବର୍ଷ ଧରି ବହୁ ସଂଖ୍ୟାରେ ଖାଲି ରହୁଛି । ଏହା ଫଳରେ ଅଧ୍ୟାପନା ଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ଗୋଟିଏ ଗୋଟିଏ କଲେଜର ସ୍ୱୟଂଶାସିତ ମର୍ଯ୍ୟାଦା ତିନି ଚାରିବର୍ଷ ତଳୁ କଟି ସାରିଥିଲେ ବି ତାହାର ନବୀକରଣ ହୋଇପାରୁନାହିଁ ।

ଅତିଥି ଅଧ୍ୟାପକ ଓ ଠିକା କର୍ମଚାରୀଙ୍କ ଦୟାରେ ଅନେକ ସ୍ୱୟଂଶାସିତ କଲେଜ କଷ୍ଟେ ମଷ୍ଟେ ଚାଲୁଛି । ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ସ୍ୱୟଂଶାସିତ କଲେଜଗୁଡିକ ପାଇଁ ଯେତେ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷ ପଦବୀ ଆବଶ୍ୟକ ତାହା ପୂରଣ କରିବା ସଂଗେ ସଂଗେ ପଦୋନ୍ନତି ଭିତ୍ତିରେ ଅଧ୍ୟକ୍ଷ ପଦବୀଗୁଡିକ ମଧ୍ୟ ପୂରଣ କରିବାକୁ ଦାବି ହେଉଛି । ଗୋଟିଏ ସମୟରେ ଅଧିକରୁ ଅଧିକ ସଂଖ୍ୟକ କଲେଜକୁ ସ୍ୱୟଂଶାସିତ ମର୍ଯ୍ୟାଦା ପ୍ରଦାନ ପାଇଁ ଦାବି ହେଉଥିଲା । ସ୍ୱୟଂଶାସିତ କଲେଜଗୁଡିକ ଚାପମୁକ୍ତ ହୋଇ ପାଠ୍ୟକ୍ରମ ପ୍ରଚଳନ ସହିତ ନିଜ ଶିକ୍ଷାନୁଷ୍ଠାନ ପାଇଁ ନିଜେ ପରୀକ୍ଷା ପରିଚାଳନା କରୁଥିଲେ । ଏବେ କିନ୍ତୁ ପରିସ୍ଥିତି ବିଗିଡିବାରେ ଲାଗିଥିବାବେଳେ ସମସ୍ତ ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ କଲେଜଗୁଡିକ ସମେତ ବିଶ୍ୱବିଦ୍ୟାଳୟଗୁଡିକରେ ଯେପରି ଖାଲି ପଦବୀ ସବୁ ତୁରନ୍ତ ପୂରଣ କରାଯାଏ ସେ ସଂକ୍ରାନ୍ତରେ ବିଭିନ୍ନ ମହଲରୁ ବାରମ୍ବାର ଦାବି ହେଉଛି ।